ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା; ବିପଦ ସଙ୍କେତ ଉପରେ ପଞ୍ଚଗଙ୍ଗା ନଦୀ, ୫,୮୦୦ରୁ ଅଧିକ ସ୍ଥାନାନ୍ତର

ମୁମ୍ୱାଇ: ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ପଞ୍ଚଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ପରେ ୫୮୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜାରାମ ୱିରଠାରେ ପଞ୍ଚଗଙ୍ଗା ନଦୀର ଜଳସ୍ତର ମଧ୍ୟାହ୍ନରେ ୪୬.୪ ଫୁଟ ଥିଲା, ଯାହା ବିପଦ ସଙ୍କେତ ୪୩ ଫୁଟ ଉପରେ ରହିଛି। କୋହ୍ଲାପୁର ଜିଲ୍ଲାପାଳ ଅମୋଲ ୟେଡଗେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ସହରର ସୁତାରୱାଡା ଏବଂ କୁମ୍ଭାରୱାଡାର ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି।

ପ୍ରଶାସନ ପକ୍ଷରୁ କରବୀର ତହସିଲର ଚିଖଲି ଓ ଆମ୍ବେୱାଡି ଏବଂ ହାଟକଲଙ୍ଗନେ, ଶିରୋଲ ଓ ଇଚଲକରଙ୍ଗୀ ତହସିଲର କିଛି ଗାଁର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିବରଣୀ ଅନୁଯାୟୀ କରବୀର, ପନ୍ହାଲା, ହାଟକଲାଙ୍ଗନେ, ଭୁଦରଗଡ଼, ଗଡ଼ିଙ୍ଗଲାଜ, ଚାନ୍ଦଗଡ଼, ଇଚଲକରଞ୍ଜି, କୋହ୍ଲାପୁର ସହର, ଶାହୁୱାଡି ଓ କାଗଲରୁ ୫୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଯଦିଓ ଭାରତୀୟ ପାଣିପାଗ ବିଭାଗ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି, ତଥାପି ସହରରେ ବର୍ଷା ବନ୍ଦ ହୋଇଯାଇଛି ବୋଲି ୟେଡଗେ କହିଛନ୍ତି। ରାଧାନଗରୀ ଡ୍ୟାମର ୬ଟି ଗେଟ୍ ଖୋଲାଯାଇ ୧୦୦୬୮ କ୍ୟୁସେକ୍ ଜଳ ନିଷ୍କାସନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟା ଯୋଗୁଁ ଜିଲ୍ଲାର ୧୧ଟି ରାଜ୍ୟ ରାଜପଥ ଓ ୩୭ଟି ମୁଖ୍ୟ ରାସ୍ତା ଯାନବାହନ ଚଳାଚଳ ପାଇଁ ବନ୍ଦ ରହିଥିବା ବେଳେ ୯୬ଟି ବ୍ୟାରେଜ ଜଳମଗ୍ନ ହୋଇଛି।

Get real time updates directly on you device, subscribe now.