fbpx

କୋରାପୁଟରେ ଲାଗିଲା ଥାଇଲାଣ୍ଡ ଗଛ, ଗ୍ରୀନମ୍ୟାନଙ୍କ ସୁନ୍ଦର ପ୍ରୟାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଥାଇଲାଣ୍ଡରୁ ଗଛ କିଣି କୋରାପୁଟରେ ରୋପଣ କରାଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଜଣେ ପ୍ରକୃତି ପ୍ରେମୀଙ୍କ ଏପରି ପ୍ରୟାସ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି । କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରେ ଗଛ ମଣିଷ ତଥା ଗ୍ରୀନମ୍ୟାନ ଭାବରେ ପରିଚୟ ପାଇଥିବା ଗୋପେଶ୍ୱର ଗରଡ଼ା ଚଳାଇଛନ୍ତି ଏଭଳି ନିଆରା ପ୍ରୟାସ । ନିଜର ଅଧା ଦରମା ସେ ଚାରାରୋପଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ଲକ୍ଷ୍ମୀପୁର ଅଞ୍ଚଳକୁ ସବୁଜ ସୁନ୍ଦର କରିବାକୁ ସେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଅନଲାଇନରେ ଥାଇଲାଣ୍ଡର ମିଆଜାକି ଆମ୍ବ ଗଛର ଚାରା ଅର୍ଡର କରି ଲକ୍ଷ୍ମୀପୁର ଅଞ୍ଚଳରେ ରୋପଣ କରୁଛନ୍ତି ଗୋପେଶ୍ୱର ।

ଗୋପେଶ୍ୱର ପେଶାରେ ଜଣେ ଭାରତୀୟ ଜୀବନ ବୀମା ନିଗମର କର୍ମଚାରୀ । କିନ୍ତୁ ନିଶା ହେଉଛି ଗଛ ଲଗାଇବା । ନିଜେ ୬ ଶହରୁ ଅଧିକ ଗଛ ଲଗାଇ ଥିବାବେଳେ ଅନ୍ୟକୁ ଚାରା ରୋପଣ ପାଇଁ ପରାମର୍ଶ ଦେଉଛନ୍ତି । ଲକ୍ଷ୍ମୀପୁର ଅଞ୍ଚଳରେ ସେ ଲଗାଇଛନ୍ତି ଭଳିକି ଭଳି ଔଷଧୀୟ ଗଛ । ଯେଉଠାରେ ବି ଖାଲି ସ୍ଥାନ ଦେଖିଲେ ହାତରେ ଚାରୋଟି ଚାରା ଧରି ଗୋପେଶ୍ୱର ସେଇଠି ପହଞ୍ଚି ଯାଆନ୍ତି । ଚାରା ଲଗାଇବା ସହ ଉପଯୁକ୍ତ ଯତ୍ନ ବି ନିଅନ୍ତି ଗୋପେଶ୍ୱର । ଗାଈଗୋରୁଙ୍କ ଠାରୁ ଗଛଗୁଡ଼ିକର ସୁରକ୍ଷା କରିବା ଦିଗରେ ମଧ୍ୟ ଗୋପେଶ୍ୱର ସମ୍ପୂର୍ଣ୍ଣ ସଜାଗ ରହନ୍ତି ।

ପ୍ରକୃତିର ଭୂସ୍ୱର୍ଗ କୋରାପୁଟ । ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ କୋରାପୁଟ ଖୁବ୍ ଜଣାଶୁଣା । ତେବେ କରୋନା ମହାମାରୀ ସମୟରେ କୋରାପୁଟ ବି ପ୍ରକୋପର ଶିକାର ହୋଇଥିଲା । ଅନେକ ବ୍ୟକ୍ତି ଅମ୍ଳଜାନ ଅଭାବରୁ ନିଜର ପ୍ରାଣ ହରାଇଥିବା ବି ସାମ୍ନାକୁ ଆସିଥିଲା । ତେବେ କରୋନା ଶିଖାଇ ଦେଇଥିଲା ଅମ୍ଳଜାନ ଓ ବୃକ୍ଷର ପ୍ରଧାନ୍ୟତା । ସମସ୍ତେ ଯଦି ନିଜ ପରିବେଶ ପାଇଁ ଏଭଳି ପ୍ରୟାସ କରିପାରନ୍ତେ ତେବେ ଭବିଷ୍ୟତରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇ ପାରନ୍ତା ବୋଲି ଗୋପେଶ୍ୱର କୁହନ୍ତି । ବିଭିନ୍ନ ନର୍ସରୀରୁ ନିଜ ଖର୍ଚ୍ଚରେ ଚାରା କିଣିବା ସହ ଏହାକୁ ଖତ ସାର ଦେଇ ଗୋପେଶ୍ୱର ରୋପଣ କରନ୍ତି । ହରିଡ଼ା, ବାହାଡ଼ା, ଦେଶୀ ନିମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ଗଙ୍ଗଶିଉଳି, ବିଷ୍ଣୁଚୂଡ଼ା, ଅଶୋକ, ଅର୍ଜୁନ, ବଉଳ ଓ ନରକୋଳି ଆଦି ଗଛ ଲଗାଇ ଗୋପେଶ୍ୱର ପ୍ରକୃତି ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ଲାଗିଛନ୍ତି । ଆଗାମୀ ଦିନରେ ଲକ୍ଷ୍ମୀପୁର ଅଞ୍ଚଳରେ ଥିବା ପ୍ରତ୍ୟେକ ଗ୍ରାମରେ ସେ ନିମ୍ବ ଗଛ ରୋପଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ ସହଯୋଗ ମିଳିଲେ ଆହୁରି ଭଲ ହୁଅନ୍ତା ବୋଲି ସମାଜସେବୀ ହେମନ୍ତ ମହାନନ୍ଦିଆ, ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମୀପୁରର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଏବଂ ଶିକ୍ଷାବିତ ଗୋଲକ ଚନ୍ଦ୍ର ଲେଙ୍କା ପ୍ରମୁଖ ମତ ଦେଇଛନ୍ତି ।

 

Get real time updates directly on you device, subscribe now.