fbpx

ଆମାଜନରେ ମିଳିବ କୋରାପୁଟ ହଳଦୀ ସାବୁନ: ବିଶ୍ୱରେ ବଢ଼ିବ ଓଡ଼ିଶାର ସୁନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ମିଲେଟକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ କୋରାପୁଟ କଫି, ଝାଡ଼ୁ, ମାଣ୍ଡିଆ, ହଳଦୀଗୁଣ୍ଡ ଆଦି ଇ-କମର୍ସ ସାଇଟରେ ଉପଲବ୍ଧ ହୋଇଥିଲା । ତେବେ ଏହା ମଧ୍ୟରେ ଇ-କମର୍ସ କମ୍ପାନୀ ଆମାଜନ ନିଜ ୱେବସାଇଟ ତଥା ଆପରେ କୋରାପୁଟ ହଳଦୀ ସାବୁନକୁ ସ୍ଥାନିତ କରିଛି ।

ତେବେ ଉକ୍ତ ହଳଦୀ ସାବୁନର ମୂଲ୍ୟ ୮୫ ଟଙ୍କା ରହିଥିବା ବେଳେ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆମାଜନକୁ ଏହି ସାବୁନ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ କଫି ସାବୁନ ଓ ଆଲୋବେରା ମଧ୍ୟ ଇ-କମର୍ସ ସାଇଟରେ ମିଳିପାରିବ ବୋଲି ଆଶା କରାଯାଉଛି । ପ୍ରଥମେ କୋରାପୁଟ ହଳଦୀରୁ ପ୍ରସ୍ତୁତ ସାବୁନକୁ ଖୋଲା ବଜାରରେ ବିକ୍ରି କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ବାହାରେ ତା’ର ଚାହିଦା ବଢ଼ିବା ପରେ ଆମେରିକାକୁ ରପ୍ତାନୀ କରାଯାଇଥିଲା । ସେଠାରେ ମଧ୍ୟ ଗ୍ରାହକମାନେ ତାହାକୁ ବହୁତ ପସନ୍ଦ କରିଥିଲେ ।

ତେବେ ଆମେରିକା ଭଳି ଏକ ବିକଶିତ ରାଷ୍ଟ୍ରରେ ଲୋକମାନେ କୋରାପୁଟ ନିର୍ମିତ ଏହି ସାବୁନକୁ ଗ୍ରହଣ କରିଥିବାରୁ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଦେଶ, ବିଦେଶରେ ଏହାର ଉପଲବ୍ଧତା ବୃଦ୍ଧି ଲକ୍ଷ୍ୟରେ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏହି ସାବୁନର ଚାହିଦା ଅନଲାଇନରେ ବଢ଼ିଲେ ତାହା କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ମହିଳାଙ୍କୁ ଅଧିକ ପ୍ରୋତ୍ସାହିତ ଓ ସଶକ୍ତ କରିବ । ୨୦୨୧ ମସିହାରେ କରୋନା ମହାମାରୀ ସମୟରେ ମହିଳାମାନେ ହଳଦୀରୁ ସାବୁନ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହା ମଧ୍ୟରେ ଉକ୍ତ ସାବୁନର ୫୦ ହଜାରରୁ ଅଧିକ ଖଣ୍ଡ ବିକ୍ରି ସରିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ବଡ଼ ବଡ଼ ସହରକୁ ଏହାର ରପ୍ତାନୀ ହେଉଛି ।

Get real time updates directly on you device, subscribe now.