ଗୃହରେ ରାସନକାର୍ଡ ପ୍ରସଙ୍ଗ: KYCରେ କଟିଲେ 84 ହଜାର, କେଉଁଠି କେତେ ଜାଣନ୍ତୁ
କେୱାଇସି ପରେ ବାଦ୍ ପଡ଼ିଲେ ୮୪,୭୫୭ ହିତାଧୀକାରୀ ।
ଭୁବନେଶ୍ବର: ରାସନକାର୍ଡରେ କେୱାଇସି ପ୍ରକ୍ରିୟା ଶେଷ ହୋଇଛି । ତେବେ ଆଜି ଗୃହରେ ଉଠିଛି ଭୂତ ରାସନକାର୍ଡ ପ୍ରସଙ୍ଗ । ରାଜ୍ୟରେ କେତେ ଭୂତ ରାସନକାର୍ଡଧାରୀ ଚିହ୍ନଟ ହେଲେ ବୋଲି ଅଶ୍ବିନୀ କୁମାର ପାତ୍ର ପ୍ରଶ୍ନ କରିଥିବା ବେଳେ ଖାଉଟି ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ଇକେଓ୍ବାଇସି ପରେ ବାଦ୍ ପଡ଼ିଲେ ୮୪,୭୫୭ ହିତାଧୀକାରୀ । ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ ଚିହ୍ନଟ ହୋଇଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯାଇଛି ।
କଟକ ଜିଲ୍ଲାରେ ସର୍ବାଧିକ ୨୫୫୪ ରାସନ କାର୍ଡ କଟିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୦୨ଟି ରାସନ କାର୍ଡ କଟାଯାଇଛି । ସେହିଭଳି ଗଜପତି ଜିଲ୍ଲାରେ ୨୩୨ଟି , ଅନୁଗୁଳ ଜିଲ୍ଲାରେ ୧୧୦୧ଟି ରାସନକାର୍ଡ କଟିଛି । ଗଞ୍ଜାମରେ ୫୫୨, ଜଗତସିଂହପୁରରେ ୪୮୭, ଯାଜପୁରରେ ୬୦୫, ବାଲେଶ୍ଵରରେ ୧୪୩୬, ବରଗଡ଼ରେ ୪୬୮, ଭଦ୍ରକରେ ୫୬୭, ବଲାଙ୍ଗିରରେ ୬୪୫, ଦେବଗଡ଼ରେ ୨୧୦, ଢେଙ୍କାନାଳରେ ୩୮୭ଟି ଅଯୋଗ୍ୟ ରାସନକାର୍ଡକୁ କାଟି ଦିଆଯାଇଛି ।
ଅନ୍ୟପଟେ ଝାରସୁଗୁଡ଼ାରେ ୩୦୭, କଳାହାଣ୍ଡିରେ ୪୯୪, କନ୍ଧମାଳରେ ୬୫୬, କେନ୍ଦ୍ରାପଡ଼ା ୫୧୭, କେନ୍ଦୁଝରରେ ୭୩୧, ଖୋର୍ଦ୍ଧାରେ ୧୩୪୫, କୋରାପୁଟରେ ୯୦୭ଟି ଅଯୋଗ୍ୟ କାର୍ଡ କଟିଛି ।
ମାଲକାନଗିରିରେ ୨୯୮ଟି ରାସନକାର୍ଡକୁ ବାଦ୍ ଦିଆ ଯାଇଥିବା ବେଳେ ମୟୂରଭଞ୍ଜରେ ୧୨୮୨, ନବରଙ୍ଗପୁରରେ ୭୮୧, ନୟାଗଡ଼ରେ ୧୬୧୮, ନୂଆପଡ଼ାରେ ୨୮୨, ପୁରୀରେ ୮୭୬, ରାୟଗଡ଼ାରେ ୬୧୬, ସମ୍ବଲପୁରରେ ୯୩୧, ସୋନପୁରରେ ୪୨୬, ସୁନ୍ଦରଗଡ଼ରେ ୯୦୦ଜଣ ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି ।
ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା ଯେଉଁଠି ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି ।