fbpx

ପୋଲିସର ନାକତଳେ ହତ୍ୟା! କୁଆଖାଇ ନଦୀପଠାକୁ ନେଇ ଆତଙ୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଞ୍ଚଲ୍ୟ… ରୋଚକ… ଆଉ ସନ୍ଦେହପୂର୍ଣ୍ଣ । ନା ମିଳୁଛି ସୁରାକ୍ ନା ପରିଚୟ । ପୋଲିସର ନାକ ତଳେ ହତ୍ୟା କରି ପୋଲିସ ପାଇଁ ପ୍ରଶ୍ନର ଗନ୍ଧ ଛାଡ଼ି ଚାଲିଯାଇଛି ହତ୍ୟାକାରୀ । ଏପଟେ ପୋଲିସ ବି ଦିନ ରାତି ଏକ କରିଦେଇଛି ପ୍ରମାଣ ଯୋଗାଡ଼ କରିବାରେ । ପରିଚୟ ପାଇଁ ପୋଷ୍ଟର ମାରିଥିବା ବେଳେ ଖିଅ ପାଇଁ ଜାଲ ବିଛାଇ ସାରିଛି ପୋଲିସ । କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରୁ ମିଳିଥିବା ଅଚିହ୍ନା ମୃତଦେହ ଚିହ୍ନଟ ଓ ହତ୍ୟାକାରିକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଯାହାକୁ ନେଇ ଆଜି ପୋଷ୍ଟର ମାରିଛି ପୋଲିସ । ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖିବା ସହ ପୁରସ୍କାର ଘୋଷଣା କରାଯାଇଛି । ଯୁବକ ଜଣଙ୍କ ଫୁଲ ଟ୍ରାଉଜର, ଫୁଲ ସାର୍ଟ, କଳା ରଙ୍ଗର ହାପପ୍ୟାଣ୍ଟ, ଚପଲ ଏବଂ ଡାହାଣ କାନରେ ଏକ ଟପ୍ ପିନ୍ଧିଥିବା ନେଇ ପୋଲିସ ସୂଚନା ଦେଇଛି । ଯେ କେହି ଏ ସମ୍ପର୍କରେ ତଥ୍ୟ ଦେବାକୁ ଚାହୁଛନ୍ତି ତାଙ୍କ ପାଇଁ ଫୋନ ନମ୍ବର ଜାରି କରାଯାଇଛି ।
ତେବେ ବ୍ୟକ୍ତି ଜଣଙ୍କ କିଏ ସେନେଇ ସାଧାରଣରେ ଉଠିଛି ଦ୍ୱନ୍ଦ୍ୱ ।

ଦ୍ୱନ୍ଦ୍ୱ ନଂ -୧

ଗତ ଶନିବାର ସନ୍ଧ୍ୟାରେ ଘଟଣାସ୍ଥଳରେ କେତେକ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି, ତେବେ ଏ ବ୍ୟକ୍ତି ତାଙ୍କ ମଧ୍ୟରୁ କେହି କି?

ଦ୍ୱନ୍ଦ୍ୱ ନଂ -୨

ଯୁବକ ଜଣଙ୍କ କିଛି ଅପରାଧିକ କାର୍ଯ୍ୟରେ ଜଡ଼ିତ ଥିଲେ କି? ତେଣୁ ଚୋରି କିମ୍ବା ଲୁଟ ସାମଗ୍ରୀ ଭାଗବଣ୍ଟା ନେଇ ହତ୍ୟା ହୋଇଛି?

ଦ୍ୱନ୍ଦ୍ୱ ନଂ -୩

ଘଟଣାସ୍ଥଳରେ ପ୍ରତିଦିନ ଅସାମାଜିକ ଓ ଅପରାଧୀ ବ୍ୟକ୍ତିଙ୍କ ଆଡ୍ଡା ଜମିଥାଏ । ଏ ବ୍ୟକ୍ତି କଣ ପ୍ରତିଦିନ ଏଠାକୁ ଆସନ୍ତି କି?

ଅନ୍ୟପଟେ ଶବ ବ୍ୟବଛେଦ ଓ ପ୍ରାଥମିକ ତଦନ୍ତ ରିପୋର୍ଟ ମୁତାବକ ତାଙ୍କ ଦେହରେ କୌଣସି କ୍ଷତର ଚିହ୍ନ ନଥିଲା ଏପରିକି ଶ୍ୱାସରୁଦ୍ଧ କିମ୍ବା ବିଷ ପାନ ବି ମୃତ୍ୟୁର କାରଣ ନୁହେଁ ବୋଲି ଜଣାପଡ଼ିଛି । ଯାହା ପୋଲିସର ଚିନ୍ତା ଆହୁରି ବଢ଼ାଇ ଦେଇଛି । ରାଜ୍ୟ ଫୋରେନସିକ ଲାବରେଟୋରିକୁ ଭିସେରା ପଠାଯାଇଥିବା ବେଳେ ଏହାର ରିପୋର୍ଟରୁ କିଛି ସୁରାକ ମିଳିପାରେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଉକ୍ତ ନଦୀପଠାରେ ଗତ ୬ ବର୍ଷ ମଧ୍ୟରେ ଏଭଳି ୫ ଜଣଙ୍କ ମୃତଦେହ ଠାବ ହୋଇଛି । ଯାହା ପୋଲିସକୁ ନାକେଦମ୍ କରାଇଛି ।

Get real time updates directly on you device, subscribe now.