ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା, ମୁଖ୍ୟ ସାକ୍ଷୀ ଗୁରୁତର

ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ଦୁର୍ଘଟଣାରେ ସାକ୍ଷୀ ଗୁରୁତର ।

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ମୁଖ୍ୟ ସାକ୍ଷୀ ଗୁରୁତର ହୋଇଥିବା ଜଣାପଡ଼ିଛି । ମୁଖ୍ୟ ସାକ୍ଷୀ ମୋନୁ ପ୍ରସାଦ ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ସୂଚନା ରହିଛି ।

ଖବର ଅନୁସାରେ, ବେଲପାହାଡ଼ରେ ସେ ବାଇକରେ ଯାଉଥିବା ବେଳେ ଏକ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାରେ ସେ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ଧକ୍କା ହୋଇଥିଲା । ଫଳରେ ଯୁବକଜଣକ ଗୁରୁତର ହୋଇଥିଲେ । ତେବେ ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି ।

ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତେବେ ଦୁର୍ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ପ୍ରକାଶଥାଉକି,  ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ପୁଣିଥରେ ଫାଇଲ ଖୋଲିଛି ପୋଲିସ । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିବା ବେଳେ ଅନେକ ଜଣଙ୍କୁ ପଚରାଉଚରା ଜାରି ରଖିଛି ।