fbpx

ଆଜି ସିଙ୍ଗାପୁରରେ ଲାଲୁଙ୍କ ଅପରେସନ, ରୋହିଣୀ ଦେବେ କିଡନୀ, ହୋମ-ଯଜ୍ଞ ଆରମ୍ଭ

ନୂଆଦିଲ୍ଲୀ: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସୋମବାର ସିଙ୍ଗାପୁରରର ମାଉଣ୍ଟ ଏଲିଜାବେଲ ହସ୍ପିଟାଲରେ କରାଯିବ। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଦାନ କରୁଛନ୍ତି। ଏଥିପାଇଁ ତାଙ୍କୁ ପ୍ରଥମେ ଅପରେସନ କରାଯିବ। ରୋହିଣୀ ଲାଲୁଙ୍କ ଦ୍ଵିତୀୟ ଝିଅ ଏବଂ ସେ ସଂପ୍ରତି ସ୍ଵାମୀ ଏବଂ ପରିବାର ସହ ସିଙ୍ଗାପୁରରେ ରହୁଛନ୍ତି। ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ, ସାଂସଦ ମୀସା ଭାରତୀ, ଆରଜେଡି ନେତା ଭୋଲା ଯାଦବ ସମେତ ଲାଲୁଙ୍କ ଅନ୍ୟ ଶୁଭ ଚିନ୍ତକ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି। ଲାଲୁଙ୍କ ସଫଳ କିଡନୀ ପ୍ରତିରୋପଣ ପାଇଁ ଆରଜେଡି ନେତା ଏବଂ କର୍ମକର୍ତ୍ତା ହୋମ ପୂଜା କରୁଛନ୍ତି।

ସୂଚନା ଅନୁଯାୟୀ, ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ ପ୍ରକ୍ରିୟା ଦୁଇ ଦିନ ପୂର୍ବେ ଆରମ୍ଭ ହୋଇ ଯାଇଛି। ଲାଲୁ ଏବଂ ରୋହିଣୀ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଲାଲୁ ଦୀର୍ଘ ସମୟ ଧରି କିଡନୀ ଜନିତ ରୋଗରେ ପୀଡିତ। ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ପରାମର୍ଶକ୍ରମେ ଲାଲୁଙ୍କୁ ସିଙ୍ଗାପୁର ଅଣାଯାଇଥିଲା ଏବଂ ସେଠାରେ ଡାକ୍ତର କିଡନୀ ପ୍ରତିରୋପଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

ରବିବାର ପାଟନାର ଦାନାପୁର ସ୍ଥିତ ମୈନପୁରା କାଳି ମନ୍ଦିରରେ ଲାଲୁ ଯାଦବଙ୍କ ସୁସ୍ଥ କାମନା କରି ପୂଜାର୍ଚ୍ଚନା ସହିତ ଅଭିଷେକ କରାଯାଇଛି। ସୋମବାର ହେବାକୁ ଥିବା ସଫଳ କିଡନୀ ପ୍ରତିରୋପଣ ପାଇଁ ପୂର୍ବତନ ବିହାର ମନ୍ତ୍ରୀ ଆଲୋକ ମେହଟ୍ଟା, ବିଧାୟକ ରୀତଲାଲ ଯାଦବ, ବରିଷ୍ଠ ଆରଜେଡି ନେତା ରାମପନ୍ନୀ ସିଂହ, ଶିବକୁମାର ଯାଦବଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ହୋମ ଯଜ୍ଞ ସହ ରୁଦ୍ରାଭିଷେକ କରିଛନ୍ତି।

ସୋମବାର ମଧ୍ୟ ଲାଲୁଙ୍କ ସଫଳ ଚିକିତ୍ସା ପାଇଁ ଆରଜେଡି ନେତା ଏବଂ କର୍ମକର୍ତ୍ତା ହୋମପୂଜା କରିବେ। ଲାଲୁଙ୍କୁ ନେଇ ବଡ ସଂଖ୍ୟାରେ ତାଙ୍କର ସମର୍ଥକ ଚିନ୍ତିତ। ସୋମବାର ତାଙ୍କ ଅପରେସନ ଦିନ ରାଜ୍ୟର ବିଭିନ୍ନ ମନ୍ଦିରରେ ହୋମ-ପୂଜାର ଆୟୋଜନ କରାଯାଇଛି।

Get real time updates directly on you device, subscribe now.