(VIDEO)ଆକାଶରେ ଆଉ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ: ଯୁଦ୍ଧ ଆକାଶର ରାଜା ମିଗ୍‍-୨୧କୁ ଦିଆଗଲା ଅନ୍ତିମ ବିଦାୟ

ଆକାଶରେ ଆଉ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମିଗ୍‍-୨୧ ଲଢୁଆ ବିମାନକୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି ।

ନୂଆଦିଲ୍ଲୀ: ଆକାଶରେ ଆଉ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମିଗ୍‍-୨୧ ଲଢୁଆ ବିମାନକୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି । ଚଣ୍ଡିଗଡ ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଆନୁଷ୍ଠାନିକ ଭାବେ ବାୟୁସେନାରୁ ସେବା ନିବୃତ୍ତ କରାଯାଇଛି ।

୧୯୬୩ରେ ରୁଷରୁ କିଣାଯାଇଥିବା ମିଗ୍‍-୨୧ ବିମାନର ପ୍ରଥମ ସ୍କ୍ୱାଡ୍ରନ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । ଅବସରପ୍ରାପ୍ତ ଚିଫ୍‍ ମାର୍ଶାଲ ଦିଲବାଗ ସିଂହ ସେତେବେଳେ ଏହି ସ୍କ୍ୱାଡ୍ରନର ନେତୃତ୍ୱ ନେଇଥିଲେ ।

ଚଣ୍ଡିଗଡ ଏୟାରବେସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବାୟୁସେନା ମୁଖ୍ୟ ଏୟାର ଚିଫ୍‍ ମାର୍ଶାଲ ଏ.ପି.ସିଂହ ଓ ସ୍କ୍ୱାଡ୍ରନ ଲିଡର ପ୍ରିୟା ଶର୍ମା ଶେଷଥର ପାଇଁ ମିଗ୍‍-୨୧ ଉଡାଇଛନ୍ତି ।

ଭାରତର ଇତିହାସରେ ସର୍ବାଧିକ ସଂଖ୍ୟକ ଉଡାଣ ଭରିଥିବା ବିମାନ ହେଉଛି ମିଗ୍‍-୨୧ । ଏହା ବହୁତ ଶକ୍ତିଶାଳୀ ବିମାନ, ଏବଂ ଅଧିକାଂଶ ପୂର୍ବ ବ୍ଲକ ଦେଶମାନେ ଏହାକୁ ଉଡାଇଥିଲେ । ମିଗ୍‍-୨୧ ଏକ ସୁନ୍ଦର ମେସିନ୍‍ ଥିଲା, ଯାହାର ଶେଷ ଉଡାଣ ଦେଖିବା ପାଇଁ ବହୁତ ଲୋକଙ୍କ ଭିଡ଼ ଜମିଛି ।

ସୂଚନାଯୋଗ୍ୟ ଷାଠିଏ ଦଶକରେ ଭାରତ ରୁଷ୍‌ ନିକଟରୁ ମିଗ୍‌-୨୧ ବିମାନ କିଣିବା ଆରମ୍ଭ କରିଥିଲା। ପର୍ଯ୍ୟାୟକ୍ରମେ ଭାରତୀୟ ବାୟୁସେନା ନିକଟରେ ମୋଟ ୮୭୦ ମିଗ୍‌-୨୧ ବିମାନ ସାମିଲ ହୋଇଥିଲା। ପାକିସ୍ତାନ ବିପକ୍ଷ ୧୯୬୫ ଓ ୧୯୭୧ ଯୁଦ୍ଧରେ ମିଗ୍‌-୨୧ ଯୁଦ୍ଧ ବିମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ଏପରିକି ୧୯୯୯ କାର୍ଗିଲ ଏବଂ ୨୦୧୯ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକରେ ମଧ୍ୟ ଏହି ବିମାନ ତାହାର ପରାକ୍ରମ ଦେଖାଇଥିଲା ।

ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମିଗ୍‌-୨୧ ବିମାନ ଉଡାଇ ପାକିସ୍ତାନର ଏକ ଏଫ୍‌-୧୬ ବିମାନକୁ ଖସାଇବାରେ ସଫଳ ହୋଇଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏସ ଜେନେରାଲ ଅନିଲ ଚୌହ୍ବାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ମଧ୍ୟ ଉପସ୍ଥିତ ଅଛନ୍ତି।