ଭୁବନେଶ୍ୱର: ଏକ ସୁସ୍ଥ ଶରୀର ପାଇଁ, ବିଶେଷଜ୍ଞମାନେ ଭଲ ନିଦ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି, ଏଥିରେ ନିର୍ଦ୍ଦିଷ୍ଟ ସମୟରେ ଶୋଇବା, ଉଠିବା ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି | ବିଶେଷ ଭାବରେ ସ୍ୱାସ୍ଥ୍ୟ ଉପରେ ଶୋଇବା ଗୁଣର ପ୍ରଭାବ ଦେଖିବାକୁ ମିଳେ | ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନଙ୍କର ପର୍ଯ୍ୟାପ୍ତ ପରିମାଣର ନିଦ ହୁଏ ନାହିଁ, ସେମାନଙ୍କର ବିଭିନ୍ନ ଗମ୍ଭୀର ରୋଗ ହେବାର ଆଶଙ୍କା ଅଧିକ ଥାଏ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଭଲ ନିଦ ସହିତ ସଠିକ ସମୟରେ ଶୋଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆଜିକାଲିର ଯୁବପିଢ଼ି ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଶୋଇବା ଭଳି ଅଭ୍ୟାସରେ ପଡ଼ିଛନ୍ତି | ଏହି ଅଭ୍ୟାସ ସ୍ୱାଭାବିକ ମନେହୁଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ |
ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାତିରେ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଇଥାଏ | ଏଥିପାଇଁ ରାତି ୧୦ ରୁ ୬ ପର୍ଯ୍ୟନ୍ତ ଶୋଇବା ସମୟ ସବୁଠାରୁ ଭଲ ହୋଇଥାଏ | ଯଦିଓ ପ୍ରାୟତଃ ଅଧିକାଂଶ ଲୋକ ରାତିରେ ୧୨ରୁ ଗୋଟାଏ ମଧ୍ୟରେ ଶୋଇଥା’ନ୍ତି | କିନ୍ତୁ ଏହି ଅଭ୍ୟାସ ଦ୍ୱାରା ଆପଣଙ୍କୁ ନିଦ୍ରା ଅଭାବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଦେଖା ଦେଇପାରେ | ତେବେ ଆସନ୍ତୁ ଜାଣିବା ବିଳମ୍ବିତ ରାତିରେ ଶୋଇବାରେ କଣ ସବୁ ସମସ୍ୟା ଦେଖା ଦେଇଥାଏ ?
- ଉଚ୍ଚ ରକ୍ତଚାପର ଶିକାର |
ଠିକ ସମୟରେ ନ ଶୋଇବା ହେତୁ ଆପଣ ଉଚ୍ଚ ରକ୍ତଚାପ ଅର୍ଥାତ ହାଇ ବ୍ଲଡ଼ ପ୍ରେସର ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରିବେ | ଅନେକ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି | ସେମାନଙ୍କ କ୍ଷେତ୍ରରେ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ରହିଥାଏ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଖରାପ ଅଭ୍ୟାସ ହେତୁ ଆପଣଙ୍କ ଶରୀରରେ ମେଟାବୋଲିଜିମର ମାତ୍ରା ବଢ଼ିବାରେ ଲାଗିଥାଏ | ଯେଉଁ କାରଣରୁ ଅନେକ ଗମ୍ଭୀର ସମସ୍ୟାର ଆଶଙ୍କା ବଢ଼ିଥାଏ |
- ବ୍ୟାୟାମ ପାଇଁ ସମୟର ଅଭାବ |
ବିଳମ୍ବିତ ରାତିରେ ଶୋଉଥିବା ବ୍ୟକ୍ତିମାନଙ୍କର ସକାଳୁ ଜଲଦି ଉଠିବାର ଅଭ୍ୟାସ ରହିନଥାଏ | ଯେଉଁ କାରଣରୁ ଏହିପରି ବ୍ୟକ୍ତିମାନଙ୍କ ପାଇଁ ସକାଳେ ବ୍ୟାୟାମ କରିବା କଷ୍ଟକର ହୋଇଥାଏ | ତେବେ ବ୍ୟାୟାମ ଅଭ୍ୟାସ ନରହିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବିକାଶ ଘଟିପାରେ ନାହିଁ | ଏବଂ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ | ଏହି ବ୍ୟକ୍ତିଙ୍କ ଜୀବନ ଶୈଳୀରେ ଅଧିକ ସମସ୍ୟା ଦେଖାଦେଇଥାଏ ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇପାରେ।
- ଓଜନ ବୃଦ୍ଧି ହେବାର ଆଶଙ୍କା |
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବିଳମ୍ବରେ ଶୋଇବା ଅଭ୍ୟାସ ଥିବା ବ୍ୟକ୍ତିଙ୍କ ନିକଟରେ ଓଜନ ବୃଦ୍ଧି ସମସ୍ୟା ବିଶେଷ ଭାବରେ ଦେଖିବାକୁ ମିଳିଥାଏ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣ ବିଳମ୍ବରେ ଶୋଇଥା’ନ୍ତି, ତେବେ ଆପଣଙ୍କୁ ସକାଳ ଜଳଖିଆ ମିସ୍ କରିବାକୁ ପଡ଼ିଥାଏ | ଯାହା ଦ୍ୱାରା ଆପଣ ମଧ୍ୟାହ୍ନ ଭୋଜନରେ ଅଧିକ ମାତ୍ରାରେ ଖାଦ୍ୟ ଖାଇଥାନ୍ତି | ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ ବଢି଼ଥାଏ | ଏହା ଆପଣଙ୍କ ଡାଏଟ୍ ଉପରେ ମଧ୍ୟ ସିଧା ସଳଖ ପ୍ରଭାବ ପକାଇଥାଏ | ଓଜନ ବୃଦ୍ଧି-ମୋଟାପଣ ଦ୍ୱାରା ମଧ୍ୟ ଅନେକ ପ୍ରକାରର ରୋଗ ସମସ୍ୟା ଦେଖା ଦେଇଥାଏ |
- ଅନିଦ୍ରା ଥକ୍କାପଣ ଭଳି ସମସ୍ୟା |
ବିଳମ୍ବରେ ଶୋଇବା କାରଣରୁ ଆପଣଙ୍କ କ୍ଷେତ୍ରରେ ନିଦ୍ରାଗତ ସମସ୍ୟା ଦେଖା ଦେଇଥାଏ | ଯାହା ଫଳରେ ଆପଣଙ୍କୁ ଅନିଦ୍ରା, ଥକ୍କାପଣ, ଚିଡିଚିଡ଼ା ହେବା ଭଳି ସମସ୍ୟା ମଧ୍ୟ ହୋଇଥାଏ | ଏହା ବ୍ୟତୀତ ଡେରିରେ ଶୋଇବା କାରଣରୁ ଆଖି ଜନିତ ସମସ୍ୟା ମଧ୍ୟ ହୋଇଥାଏ |ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ସଠିକ ସମୟରେ ଶୋଇବା ଏବଂ ଉଠିବା ଭଳି ଅଭ୍ୟାସ ଆପଣାଇବା ଆବଶ୍ୟକ |