fbpx

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ; କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ, ନିମନ୍ତ୍ରିତ ଅତିଥିଙ୍କ ପାଇଁ ସଂରକ୍ଷିତ ରହିବ କୋଠରୀ

ପୁରୀ: କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ । ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । କାଲିଠୁ ସଂରକ୍ଷିତ ରହିବ ପୁରୀର ସବୁ ଧର୍ମଶାଳା ବିଭିନ୍ନ ଧର୍ମାନୁଷ୍ଠାନର କୋଠରୀ ମଧ୍ୟ ସଂରକ୍ଷିତ ରହିବ । ସଂରକ୍ଷିତ କୋଠରୀଗୁଡ଼ିକରେ ରହିବେ ନିମନ୍ତ୍ରିତ ଅତିଥି । ଶ୍ରୀମନ୍ଦିର ଭକ୍ତ ନିବାସରେ ରହିବେ ବ୍ରାହ୍ମଣ ଓ ମଠାଧୀଶ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥି ପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଥାଉକି, ମାର୍ଗଶିର ପୂର୍ଣ୍ଣିମା ଠାରୁ ଦେଶର ପ୍ରମୁଖ ଦେବପୀଠଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୩୦ଟି ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିଛନ୍ତି । ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ବଣ୍ଟନ ଦାୟିତ୍ୱରେ ଥିବା ଟିମ୍‌ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହାପରେ ପ୍ରତ୍ୟେକ ଟିମ୍‌ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି । ଅନ୍ୟପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ସାରିଛି। ତେବେ ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ଆଗୁଆ କୋଠରୀ ସଂରକ୍ଷିତ ରଖାଯ଼ାଉଛି, ଯେପରି ଅତିଥି ମାନଙ୍କର କୌଣସି ଅସୁବିଧା ନ ହେବ ସେ ସବୁ ପ୍ରତି ଦୃଷ୍ଟି ଦିଆଯ଼ାଉଛି ।

Get real time updates directly on you device, subscribe now.