“କିଛି ଲୋକ ବାହାଦୂରୀ ନେବାକୁ..”, ମୋଦକ ଚୋରି ଅଭିଯୋଗକୁ ଆଇନ୍ ମନ୍ତ୍ରୀ କଲେ ଖଣ୍ଡନ
ମୋଦକ ଚୋରିକୁ ଆଇନ ମନ୍ତ୍ରୀ କଲେ ଖଣ୍ଡନ
ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କିଛି ଲୋକ ବାହାଦୂରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ମୋଦକ ଚୋରି ହୋଇନି। ଏନେଇ ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୋଦକ କେବେ ଗଣତି ବି ହୁଏ ନାହିଁ। ବାହାଦୂରୀ ନେବାକୁ କହିଥିଲେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ ନେଇ ସାମ୍ନାକୁ ଆସିଥିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ସେ କହିଥିଲେ ଯେ, “ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ।”
ସେ ଆହୁରି କହିଛନ୍ତି ଯେ, ବାଡ଼ଗ୍ରାହୀଙ୍କ ତଥ୍ୟ ସତ୍ୟ ଆଧାରିତ ନୁହେଁ। ଆହୁରି ତଦନ୍ତ ହେବ। ଆହୁରି ତଦନ୍ତ କରିବୁ। ସିସିଟିଭି ବି ଦେଖିବୁ। ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ।
ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ହୋଇଥିବା କୁହାଯାଉଥିଲା। ୭୦ଟି ମୋଦକ ଚୋରି ହୋଇଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।