fbpx

ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ନିୟମ ବଦଳିଲା: ଏଣିକି ମିଳିବ ୪୨ ଦିନର ଛୁଟି, କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ନିୟମିତ ବ୍ୟବଧାନରେ ଜନାଭିମୁଖୀ ଘୋଷଣା କରିଥାନ୍ତି । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଘୋଷଣା କରିଥିବା ବେଳେ ଆଗକୁ ମଧ୍ୟ କିଛି ବଡ଼ ଉପହାର ଦେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀଙ୍କ ଛୁଟି ନିୟମରେ ପରିବର୍ତ୍ତନ ହୋଇଛି ।

ସୂଚନା ମୁତାବକ, ଛୁଟି ନିୟମ ପରିବର୍ତ୍ତନ ହେବା ପରେ କର୍ମଚାରୀମାନେ ଏଣିକି ପୂର୍ବାପେକ୍ଷା ଅଧିକ ଛୁଟି ପାଇ ପାରିବେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ କର୍ମଚାରୀମାନେ ଅଙ୍ଗଦାନ କରିଥାନ୍ତି ସେମାନଙ୍କୁ ଏକ ବଡ଼ଧରଣର ସର୍ଜରୀ କରାଇବାକୁ ପଡ଼ିଥାଏ । ତେଣୁ ଏପରି ସ୍ଥଳେ ଡୋନେଟ କରୁଥିବା ବ୍ୟକ୍ତିଙ୍କୁ ସୁସ୍ଥ ହେବା ପାଇଁ ସମୟ ଲାଗିଥାଏ । ତେଣୁ ଅଙ୍ଗଦାନ ପାଇଁ ସରକାର ୪୨ ଦିନର ସ୍ୱତନ୍ତ୍ର ଆକସ୍ମିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଏହି ଆକସ୍ମିକ ଛୁଟି ପାଇଁ ୩୦ ଦିନର ଛୁଟି ନିୟମ ରହିଥିବା ବେଳେ ଏବେ ତାହା ବୃଦ୍ଧି କରାଯାଇ ୪୨ ଦିନ କରାଯାଇଛି । ତେବେ ଏଥିପାଇଁ କର୍ମଚାରୀଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିବ । ହସ୍ପିଟାଲର ବିତାଇଥିବା ସମୟ ଓ ଏହା ପରର ସମୟକୁ ଏଥିରେ ସାମିଲ କରାଯାଇଛି । ଏହି ବିଶେଷ ଛୁଟି କେବଳ ଏକ ସମୟରେ ହିଁ ନିଆଯାଇ ପାରିବ । ତେବେ ଆବଶ୍ୟକ ପଡ଼ିଲେ ସରକାରୀ ପଞ୍ଜିକୃତ ଡାକ୍ତରଙ୍କ ସୁପାରିଶ ଆଧାରରେ ଆଉ ୭ ଦିନ ପୂର୍ବରୁ ଏହାର ଫାଇଦା ନିଆଯାଇ ପାରିବ । ଚିକିତ୍ସା କରୁଥିବା ଡାକ୍ତରଙ୍କ ସୁପାରିଶ ଆଧରରେ ଛୁଟିକୁ ଅଲଗା କରିବାକୁ ଅନୁମତି ଦିଆଯାଇପାରେ । ଆକସ୍ମିକ ଛୁଟି ଅନ୍ୟ ଛୁଟି ସହିତ ମିଶାଇ ନିଆଯାଇ ପାରିବ ନାହିଁ । ମାତ୍ର ଅସାଧାରଣ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଆଧାରରେ କିଛିଟା ରିହାତି ମିଳିପାରେ ।

Get real time updates directly on you device, subscribe now.