fbpx

Big News… ଦିନେ ଥିଲା କୋଳାହଳ, ଆଜିଠୁ ଶାନ୍ତ ହୋଇଯିବ ବାଦାମବାଡ଼ି: ବସଷ୍ଟାଣ୍ଡ ଜାଗାକୁ ନେଇ ନୂଆ ଯୋଜନା

Advertisement

କଟକ: ଓଡ଼ିଶାର ଏକ ନିଆରା ଏବଂ ସ୍ୱତନ୍ତ୍ର ପରିଚୟ, କଟକର ବାଦାମବାଡ଼ି ବସଷ୍ଟାଣ୍ଡ । ଯାହା ଏବେ ଆଉ ବସଷ୍ଟାଣ୍ଡ ହୋଇ ନାହିଁ । ବଦଳିଯାଇଛି ଏହାର ନିଜର ଠିକଣା । ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି କଟକର ବାଦାମବାଡ଼ି ବସ୍ ଷ୍ଟାଣ୍ଡ । ଦିନେ ଏହି ବସଷ୍ଟାଣ୍ଡ ଜାଗାରେ ଗାଡ଼ି କେଁ କାଁ ଶବ୍ଦରେ କମ୍ପି ଉଠୁଥିଲା ବାଦାମବାଡ଼ି । କିନ୍ତୁ ଆଜି ଏକଦମ୍ ଶାନ୍ତ ପଡ଼ି ଯାଇଛି । କାରଣ ସରକାରଙ୍କ ଆଦେଶ ପରେ ନେତାଜୀ ଟର୍ମିନାଲକୁ ସ୍ତାନାନ୍ତର ହୋଇଯାଇଛି ବସଷ୍ଟାଣ୍ଡ । ଏବେ ସବୁଆଡ଼େ କେବଳ ଫାଙ୍କା ଆଉ ନୀରବ ।

ବାଦାମବାଡ଼ିରେ ବସ୍ ଷ୍ଟାଣ୍ଡ ଆଜି ଖୋଜୁଛି ନୂଆ ପରିଚୟ । ଏଥିପାଇଁ ସରକାର ଏହାକୁ ନେଇ କରିଛନ୍ତି ନୂଆ ଏବଂ ବଡ଼ ଯୋଜନା । ପୁଣି ପୁରୁଣା ବସ୍ ଷ୍ଟାଣ୍ଡରେ ଲାଗିବ ଲୋକଙ୍କ ଭିଡ଼ । କିନ୍ତୁ ନଥିବ କୋଳାହଳ, ନା ରହିବ ବସ୍ । କାରଣ ପ୍ରତୀକ୍ଷାର ପ୍ରେକ୍ଷାଳୟରୁ ପାଠାଗାର ପାଲଟିଯିବ ଏହି ସ୍ଥାନ । ବାଦାମବାଡ଼ିର ବସ୍ ଷ୍ଟାଣ୍ଡ ସ୍ଥାନରେ ନୂଆ ଲାଇବ୍ରେରୀ ଖୋଲିବାକୁ ଯାଉଛନ୍ତି ସରକାର । ପୁରୀ-ଅନୁଗୁଳ ବସଷ୍ଟାଣ୍ଡରେ ଅତ୍ୟାଧୁନିକ ଲାଇବ୍ରେରୀ ସାଙ୍ଗକୁ ରିଡିଂ ରୁମ୍ ମଧ୍ୟ ଗଢ଼ି ଉଠିବ । ସମାଜବାଦୀ ନେତା ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଏକ ଲାଇବ୍ରେରୀ ନିର୍ମାଣ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ତେବେ ଏଥିପାଇଁ ୩୦ କୋଟି ୫୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଲାଇବ୍ରେରୀରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରାଯିବ ।

ଗାଡ଼ି ହର୍ଣ୍ଣ ଏବଂ କଣ୍ଡକ୍ଟରଙ୍କ ଡାକରେ ଯେଉଁ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ଦିନେ କମ୍ପି ଉଠୁଥିଲା । ଆଗାମୀ ଦିନରେ ଏହି ସ୍ଥାନ ଏକଦମ୍ ଶାନ୍ତ ପରିବେଶରେ ପରିଣତ ହୋଇଯିବ । ଏଠାରେ ଅତ୍ୟାଧୁନିକ ପାଠାଗାର ପାଇଁ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରୁଛନ୍ତି । ପିଲାମାନେ ପାଠ ପଢିବା ସହ ବିଭିନ୍ନ ପରୀକ୍ଷା ପାଇଁ ଏଠାକୁ ଆସି ପ୍ରସ୍ତୁତି କରିପାରିବେ । ଦିନେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ରତୀକ୍ଷା ହେଉଥିବା ସ୍ଥାନ ଏବେ ପିଲାମାନଙ୍କ ଜୀବନର ଲକ୍ଷ୍ୟ ପାଇଁ ରାସ୍ତା ଖୋଲିବ ।

Get real time updates directly on you device, subscribe now.