ଓଠ ଉପରେ ଲିପଷ୍ଟିକର କୁପ୍ରଭାବ, ଜାଣନ୍ତୁ କେମିତି ବର୍ତ୍ତିବେ ଏଥିରୁ
ବାରମ୍ବାର ଲିପଷ୍ଟିକ୍ ଲଗାଇବା ଦ୍ୱାରା ଓଠ ଶୁଷ୍କ ହୋଇଯାଏ । ଓଠର ନମନୀୟତା ବଜାୟ ରଖିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣାଇ ପାରିବେ ।
ଓଡ଼ିଶା ଭାସ୍କର: ସୁନ୍ଦର ଓ ଆକର୍ଷଣୀୟ ଓଠ କାହାକୁ ବା ପସନ୍ଦ ନୁହେଁ କହିଲେ । ବିଶେଷ କରି ଶୀତ ଦିନେ ଓଠ ଶୁଷ୍କ ହୋଇଯାଏ । ଏମିତିରେ ଏହାର ନମନୀୟତା ବଜାୟ ରଖିବା ଜରୁରୀ ଅଟେ ।
ସାଧାରଣତଃ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରସାଧନ ମଧ୍ୟରେ ଲିପଷ୍ଟିକ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ସୁନ୍ଦର ରଂଗର ଲିପଷ୍ଟିକ୍ ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷିତ କରିଥାଏ ।
କଳା ଓଠ ଦେଖାଯିବ ସୁନ୍ଦର:
ସାଧାରଣତଃ ସୌନ୍ଦର୍ଯ୍ୟ ପ୍ରସାଧନ ମଧ୍ୟରେ ମହିଳାଙ୍କୁ ଲିପଷ୍ଟିକ୍ ଅଧିକ ଆକର୍ଷିତ କରିଥାଏ । କିନ୍ତୁ ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା ରସାୟନିକ ଲିପଷ୍ଟିକ୍ ନିୟମିତ ବ୍ୟବହାର କରିବା ଦ୍ୱାରା ଓଠର ସୁନ୍ଦରତା ହ୍ରାସ ହୋଇଥାଏ । ସମୟକ୍ରମେ ଓଠ କଳା ପଡ଼ିଯାଏ । ଅନେକାଂଶରେ ଏହା ତ୍ୱଚା ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।
ଶୁଷ୍କ ଓଠ:
ଅଧିକାଂଶ ମହିଳା ସିଧାସଳଖ ଭାବେ ଓଠରେ ଲିପଷ୍ଟିକ୍ ପ୍ରୟୋଗ କରିଥାନ୍ତି । ବେଳେ ବେଳେ ରାତିରେ ଶୋଇବା ପୂର୍ବରୁ ମଧ୍ୟ ମେକଅପ୍ ହଟାଇ ନଥାନ୍ତି । ଏହା ଓଠର ପ୍ରାକୃତିକ ରଂଗକୁ ଫିକା କରିବା ସହ ଅହୁରି ଶୁଷ୍କ କରିଦିଏ ।
ଲିପଷ୍ଟିକ୍ ଲଗାଇବା ପୂର୍ବରୁ ନିମ୍ନଲିଖିତ ଟିପ୍ସ ଆପଣାଇଲେ ଓଠ କୋମଳ ଓ ସୁସ୍ଥ ରହିଥାଏ ।
୧. ସ୍କ୍ରବ୍: ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଓଠରେ ଚିନି ଏବଂ ମହୁ ମିଶ୍ରିତ ସ୍କ୍ରବ୍ ଲଗାନ୍ତୁ । ଏଥିପାଇଁ ଗୋଟିଏ ଚାମଚ ମହୁରେ ଅଧ ଚାମଚ ଚିନି ମିଶାଇ ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ । ଏହି ସ୍କ୍ରବକୁ ଓଠରେ ଲଗାଇ ୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଲିପଷ୍ଟିକ୍ ଲଗାଇଲେ ଓଠ ଶୀଘ୍ର ଖରାପ ହୋଇନଥାଏ ।
୨. ଲିପ୍ ବାମ୍: ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଓଠରେ ଲିପ୍ ବାମ୍ ଲଗାଇବାକୁ ଭୁଲିବେ ନାହିଁ । ଏହା ଓଠର କୋମଳତା ବଜାୟ ରଖିବାରେ ସହାୟକ ହୋଇଥାଏ । ବିଶେଷ କରି ଶୀତ ଦିନେ ଓଠକୁ ମଇଶ୍ଚରାଇଜ୍ ରଖିବା ପାଇଁ ଭଲ ବ୍ରାଣ୍ଡର ଲିପ୍ ବାମ୍ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଶୁଷ୍କ ଓଠରେ ନଡ଼ିଆ ତେଲ ଲଗାଇବା ଏକ ଉତ୍ତମ ବିକଳ୍ପ ।
୩. ଭିଟାମିନ୍ ‘ଇ’: ଭିଟାମିନ୍ ‘ଇ’ କ୍ୟାପସ୍ୟୁଲ ଚେହେରାର ସୁନ୍ଦରତା ବଜାର ରଖିବାରେ ସହାୟକ ହୋଇଥାଏ । ଏହା ଶୁଷ୍କ ଓଠ ଏବଂ ଲିପଷ୍ଟିକର ପାଶ୍ୱର୍ପ୍ରତିକ୍ରିଆରୁ ସୁରକ୍ଷା ପ୍ରଦାନ କରିଥାଏ । ଭିଟାମିନ୍ ‘ଇ’ କ୍ୟାପସ୍ୟୁଲରୁ ଅଳ୍ପ ଓଠରେ ଲଗାନ୍ତୁ କିଛି ସମୟ ପରେ ତୁଳାରେ ପୋଛି ଲିପଷ୍ଟିକ୍ ଲଗାଇପାରିବେ । ଏହା ଓଠକୁ ସଂକ୍ରମଣରୁ ରକ୍ଷା କରିଥାଏ ।