fbpx

ଲିଭ-ଇନ୍ ରିଲେସନଶିପରେ ରହିବା ଅପରାଧ ନୁହେଁ: ମହିଳାଙ୍କୁ ମିଳିଥାଏ ଅନେକ ଆଇନଗତ ସୁରକ୍ଷା, ସେମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ପାରିବେ

ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବକ-ଯୁବତୀ, ପୁରୁଷ-ମହିଳା ଲିଭ-ଇନ୍-ରିଲେଶନଶିପରେ ରହୁଥିବାର ଦେଖାଯାଉଛି । ତେବେ ଲିଭ୍ ଇନରେ ରହୁଥିବା ଯୋଡ଼ିମାନେ ଅନେକ ସମୟରେ ଭୟଙ୍କର ଅପରାଧର ଶିକାର ହୋଇଥାନ୍ତି । ଗତ ବର୍ଷ ଦିଲ୍ଲୀରେ ଘଟିଥିବା ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ୱାଲକରଙ୍କ ହତ୍ୟା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ତେବେ ବାସ୍ତବରେ ଲିଭ-ଇନରେ ରହିବା କୌଣସି ଅପରାଧ ନୁହେଁ । ମାତ୍ର ଏହି ସମ୍ପର୍କରେ ରହୁଥିବା ମହିଳା, ଯୁବତୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ଲିଭ-ଇନରେ ରହୁଥିବା କିଛି ଯୁବତୀଙ୍କୁ ତାଙ୍କର ପୁରୁଷ ପାର୍ଟନର ମାରପିଟ, ଅତ୍ୟାଚାର କରିଥାନ୍ତି । ମାତ୍ର ଏଭଳି ସ୍ଥିତିରେ ମହିଳା ପାର୍ଟନର ଅଭିଯୋଗ କରିନଥାନ୍ତି । ଅନେକ ଏହାର ଆଇନଗତ ଦିଗ ବିଷୟରେ ଅଜ୍ଞ ଥାଆନ୍ତି । ତେଣୁ ଏପରି କ୍ଷେତ୍ରରେ ଜଣେ ମହିଳାଙ୍କୁ ନିଜର ଅଧିକାର ସମ୍ପର୍କରେ ଜାଣିବା ନିହାତି ଜରୁରୀ । ସାବାଳକ/ ସାବାଳିକା ହେବା ପରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ବିବାହ ନକରି ଏକାଠି ରହିବାର ସ୍ୱାଧୀନତା ରହିଛି । ୧୬ ବର୍ଷ ପୂର୍ବେ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିଲେ ।

ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ-୫ ଅନୁଯାୟୀ, ଦେଶର ୧୬ ପ୍ରତିଶତରୁ ଅଧିକ ମହିଳା ତାଙ୍କର ପାର୍ଟନରଙ୍କ ହିଂସାର ଶିକାର ହୋଇଛନ୍ତି । ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି । ବିନା ବିବାହରେ ଏକତ୍ର ରହୁଥିବାରୁ ପୁରୁଷ ହିଂସା ଆଚରଣ କରିବାର ସମ୍ଭାବନା ରହିଥାଏ । ତେଣୁ ସୁପ୍ରିମକୋର୍ଟ ଏଥିପାଇଁ ମହିଳାଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିଛନ୍ତି । ଲିଭ-ଇନରେ ରହୁଥିବା ମହିଳାଙ୍କ ସହ ଯଦି କୌଣସି ହିଂସା ହୁଏ, ତେବେ ସେ ଅଦାଲତର ଦ୍ୱାରସ୍ଥ ହୋଇପାରନ୍ତି ।

ଏଥିସହିତ ଲିଭ-ଇନରେ ରହୁଥିବା ମହିଳାମାନେ ବିବାହିତା ମହିଳାଙ୍କ ପରି ଗୁଜୁରାଣ ପାଇବାର ହକ ରହିଛି । ଯଦି ପୁରୁଷ ପାର୍ଟନର ବିନା ସହମତିରେ ମହିଳାଙ୍କୁ ଛାଡ଼ିଦିଏ, ତେବେ ଆଇନଗତ ଭାବେ ମହିଳାଙ୍କୁ ଭତ୍ତା ପ୍ରଦାନ କରାଯିବାର ନିୟମ ରହିଛି । ଏହି ସମ୍ପର୍କରେ ରହୁଥବା ମହିଳାମାନେ ସିଆରପିସିର ଧାରା ୧୨୫ ଅନୁଯାୟୀ ଭରଣପୋଷଣ ପାଇପାରିବେ । ଗତ ୨୦୧୧ରେ ଏକ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ ।

ଲିଭ-ଇନ ରିଲେସନଶିପରେ ଜନ୍ମ ନେଉଥିବା ସନ୍ତାନର ପିତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ରହିଛି । ବର୍ଷ ବର୍ଷ ଧରି ପୁରୁଷ-ମହିଳା ବିବାହ ନକରି ଏକତ୍ର ରହୁଥିଲେ ଦୁହେଁ ବିବାହ କରିଛନ୍ତି ବୋଲି ମାନି ନିଆଯିବ । ସେହି ଆଧାରରେ ପିଲାମାନେ ପିତାଙ୍କ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ । କେରଳ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଏହି ଶୁଣାଣି କରିଥିଲେ ।

Get real time updates directly on you device, subscribe now.