fbpx
BSKY SKY
BSKY SKY

ମଦ ଓ ବାହାର ଖାଦ୍ୟ ବଡ଼ ଶତ୍ରୁ: ଲିଭର ସିରୋସିସ ଓ ଲିଭର କ୍ୟାନସର ଅତ୍ୟନ୍ତ ଭୟଙ୍କର, ପ୍ରତିରୋଧ ପାଇଁ କ’ଣ କହୁଛନ୍ତି ବିଶେଷଜ୍ଞ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲିଭର ବା ଯକୃତ ଡ୍ୟାମେଜ୍ ଏକ ଭୟଙ୍କର ରୋଗ । ତେବେ ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ଯଦି ଅତ୍ୟଧିକ ମଦ୍ୟପାନ କରେ ତେବେ ତାଙ୍କର ଲିଭର ଡ୍ୟାମେଜ ହୋଇ ସିରୋସିସ୍ ହୋଇଥାଏ । ଲିଭର ସିରୋସିସ୍ ରୋଗ ଯେତିକି ଭୟଙ୍କର ତା’ର ଚିକିତ୍ସା ମଧ୍ୟ ସେତିକି ବ୍ୟୟବହୁଳ । ଲିଭର ସିରୋସିସ ରୋଗ କାରଣରୁ ଗତ ମାସ ୪ ତାରିଖରେ ମାତ୍ର ୪୭ ବର୍ଷ ବୟସରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲିଯାଇଥିଲେ ।

ଡାକ୍ତରଙ୍କ ମତରେ, ଆଲକହଲ ଏକ କେମିକାଲ, ଯାହାକୁ କି ଇଥାନଲ ମଧ୍ୟ କୁହାଯାଇଥାଏ । ଏହି ଇଥାନଲ ପ୍ରଥମେ ରୋଗୀର ଲିଭରରେ ଚର୍ବି ଜମାଇ ଲିଭରକୁ ବଡ଼ କରାଇଥାଏ । ଏପରି ଚର୍ବି ଜମିବା ଫଳରେ ଲିଭରେ ଫ୍ୟାଟ ଜମି ତାହା ଅକ୍ସିଡେସନ ପେଡ୍ରିଆଟିକେସନ ପ୍ରତିକ୍ରିୟା ହୋଇଥାଏ । କ୍ରମାଗତ ଭାବେ ମଦ୍ୟପାନ କରିବା ଫଳରେ ଜଣେ ବ୍ୟକ୍ତି ଲିଭର ସିରୋସିସ୍ ରୋଗରେ ସଂକ୍ରମିତ ହୋଇଥାଏ ।

ତେବେ ଜଣେ ବ୍ୟକ୍ତି ଦିନେ କି ଦୁଇ ଦିନ ଅଳ୍ପ ମଦ ପିଇଦେଲେ ଯେ ଲିଭର ଖରାପ ହୋଇଯିବ, ତାହା ମିଛକଥା । ଅତିକମରେ ୧୦-୧୫ ବର୍ଷ ଧରି କ୍ରମାଗତ ଭାବେ ମଦ୍ୟପାନ କଲେ ଲିଭର ଡ୍ୟାମେଜ୍ ହେବା ଥୟ । ସେହିପରି ଅଳ୍ପ କିଛି ବର୍ଷ ଧରି ବହୁମାତ୍ରାରେ ମଦ ସେବନ କଲେ ମଧ୍ୟ ପରିସ୍ଥିତି ସଙ୍କଟ ଆଡ଼କୁ ଚାଲିଯାଇଥାଏ ।

ଯଦି ପୁରୁଷମାନେ ଦିନକୁ ୪୦-୮୦ ଗ୍ରାମ ଓ ମହିଳାମାନେ ୨୦-୪୦ ଗ୍ରାମ ମଦ୍ୟପାନ କରନ୍ତି, ତେବେ ସେମାନଙ୍କର ଲିଭର ଡ୍ୟାମେଜ୍ ହେବାର ଆଶଙ୍କା ବଢ଼ିଯାଇଥାଏ । ପ୍ରାଥମିକ ଅବସ୍ଥାରେ ଲିଭର ଡ୍ୟାମେଜର କିଛି ଲକ୍ଷଣ ଜଣାପଡ଼ିନଥାଏ । ଲିଭର ଡ୍ୟାମେଜ୍ ହେବା ପରେ ଦୁର୍ବଳ ଲାଗିବା, ଭୋକ ନହେବା, ଆଖି ହଳିଆ ରଙ୍ଗ ଦେଖାଯିବା, କଳାଝାଡ଼ା ହେବା, ରକ୍ତବାନ୍ତି ହେବା ଆଦି ଲକ୍ଷଣ ସବୁ ଦେଖାଯାଇଥାଏ ।

ତେବେ କେବଳ ମଦ ନୁହେଁ ଅନ୍ୟ କିଛି ଖରାପ ଅଭ୍ୟାସ ପାଇଁ ମଧ୍ୟ ଲିଭର ଡ୍ୟାମେଜ ହୋଇପାରେ । ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସ ଲିଭର ସହ ଜଡ଼ିତ ବିମାରୀକୁ ଡାକି ଆଣିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ବାହାର ଖାଦ୍ୟ, ଜଙ୍କ ଫୁଡ ଖାଇବା ଦ୍ୱାରା ନନ ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ, ହେପାଟାଇଟିସ, ହେପାଟାଇଟିସ ଏ, ଲିଭର କ୍ୟାନ୍ସର ଓ ଲିଭର ସିରୋସିସ ରୋଗ ହେବାର ସମ୍ଭାବନା ରହିଥାଏ । ତେବେ ଏଥିରୁ ବର୍ତ୍ତିବା ପାଇଁ ଆପଣମାନେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ଅନହେଲଦୀ ସ୍ନାକସକୁ ଆଭଏଡ କରନ୍ତୁ, ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଷ୍ଟ୍ରେସ କମ୍ କରିବା ପାଇଁ ମେଡିଟେସନ କରନ୍ତୁ ।

Get real time updates directly on you device, subscribe now.