fbpx

ଜୁନ୍‌ ୭ ଯାଏ ବଢ଼ିଲା ଲକ୍‌ଡାଉନ, ଘୋଷଣା କଲେ ହରିୟାଣା ସରକାର

ଭୁବନେଶ୍ଵର: ଦେଶରେ କରୋନା ସଂକ୍ରମଣ ତୁଳନାତ୍ମକ ଭାବେ କମ୍‌ ରହିଥିବା ଜଣାପଡ଼ିଥିଲେ ମଧ୍ୟ ଭୟ କମିନି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବାରେ ଲାଗିଛନ୍ତି। ଏହିକ୍ରମରେ ଆଉ ଏକ ରାଜ୍ୟରେ ଲକ୍‌ଡାଉନ୍‌ ବୃଦ୍ଧି ହୋଇଛି। ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଜୁନ୍‌ ୧୫ ଯାଏ ବନ୍ଦ ରଖିବାକୁ ନିର୍ଦେଶ ରହିଥବା ସହ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କଟକଣା ଜାରି କରାଯାଇଛି। ଏନେଇ ଘୋଷଣା କରିଛନ୍ତି ହରିୟାଣା ରାଜ୍ୟ ସରକାର।

ଯୁଗ୍ମ-ଅଯୁଗ୍ମ (ଅଡ୍‌-ଇଭେନ୍‌ ଫର୍ମୁଲା) ସୂତ୍ର ମାନି ଦିନ ୯ଟାରୁ ୩ଟା ଯାଏ ଦୋକାନ ଖୋଲି ପାରିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଘୋଷଣା କରିଛନ୍ତି। ସେହିପରି ମଲ୍‌ଗୁଡ଼ିକ କେତେକ ସର୍ତ୍ତ ମାନି କଟକଣା ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ କଟକଣା ମାନି ମଲ୍‌ ଖୋଲି ପାରିବ। ମଲ୍‌ ଭିତରକୁ ପ୍ରବେଶ ପାଇଁ କେତେକ ନିୟମ ଓ ସର୍ତ୍ତ ରଖାଯାଇଛି। ଯେପରି ୧୦୦୦ ବର୍ଗ ଫୁଟ ବିଶିଷ୍ଟ ମଲ୍‌ରେ ଗୋଟିଏ ଥରରେ ୪୦ ଲୋକ ପ୍ରବେଶ ଅନୁମତି ଦିଆଯାଇଛି। ସେହିପରି ପ୍ରବେଶ କରିବାର ନିର୍ଦ୍ଦିଷ୍ଟ ସମୟ ଭିତରେ ମଲ୍‌ ଛାଡ଼ିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଜୁନ୍‌ ୧୫ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରଶିକ୍ଷଣ ସଂସ୍ଥା ବନ୍ଦ ରହିବ। ରାଜ୍ୟରେ ଦୈନିକ କରୋନା କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କରୋନାର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୩ରୁ ଏକ ସପ୍ତାହ ତଥା ୧୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ଲକଡାଉନ୍‌ ଘୋଷଣା କରିଥିଲେ। ତେବେ ଏହାରି ମଧ୍ୟରେ ୪ଥର ତାଲାବନ୍ଦ ଅବଧି ବଢ଼ିସାରିଲାଣି।

Get real time updates directly on you device, subscribe now.