ଓଡ଼ିଶାରେ ବଢ଼ିପାରେ ଲୋକସଭା ସିଟ୍, ରାଜ୍ୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୨୮ା୨:  ଲୋକସଭା ଆସନ ଆଧାରରେ ବିଧାନସଭାର ଆସନ ସଂଖ୍ୟା ବି ବଢ଼ିବ ବୋଲି ଆଲୋଚନା ହେଉଛି। ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ନେଇ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ କରାଯିବ । ଆସନ୍ତା ବର୍ଷ ଏନେଇ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ରାଜନୈତିକ ଆଲୋଚକମାନେ ମତ ଦେଇଛନ୍ତି । ସେନେଇ କେନ୍ଦ୍ର ସରକାର ପ୍ରକ୍ରିୟା ବି କୁଆଡ଼େ ଆରମ୍ଭ କରିଦେଲେଣି । ପ୍ରଥମେ ଲୋକସଭା ଆସନ ବଢ଼ିବ ଏବଂ ପରେ ବିଧାନସଭା ଆସନ ମଧ୍ୟ ବଢ଼ିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ରିପୋର୍ଟ ଅନୁସାରେ, ସଂସଦୀୟ କ୍ଷେତ୍ରର ସୀମା ପୁନଃନିର୍ଦ୍ଧାରଣ ପରେ ଦେଶରେ ସଂସଦୀୟ କ୍ଷେତ୍ର ୮୪୮ ଛୁଇଁବ। ଓଡ଼଼ିଶାରେ ବି ସଂସଦୀୟ କ୍ଷେତ୍ର ସଂଖ୍ୟା ବଢିବ । ବର୍ତ୍ତମାନ ରାଜ୍ୟରେ ଲୋକସଭା ଆସନ ୨୧ ଥିବା ବେଳେ ଏହି ସଂଖ୍ୟା ୨୮ ଛୁଇଁବ ବୋଲି ଆକଳନ କରାଯାଉଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି କେନ୍ଦ୍ର ସରକାର ନିଷ୍ପତ୍ତି ଉପରେ ବିଚାରବିମର୍ଷ ଚଳାଇଛନ୍ତି ।

୨୦୨୫ରେ ଦେଶରେ ଜନଗଣନା ହୋଇପାରେ ଏବଂ ଜନଗଣନା ପରେ ଅର୍ଥାତ ୨୦୨୬କୁ ଏହି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆଗକୁ ବଢିବ ବୋଲି କୁହାଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୬ରେ ଜନଗଣନା ପରେ ହିଁ ସୀମା ନିର୍ଦ୍ଧାରଣ କରାଯିବ।  ଏଥିପାଇଁ, ଯେଉଁ ସୀମା ନିର୍ଦ୍ଧାରଣରେ କମିଶନ ଗଠନ କରାଯିବ, ସେଥିରେ ସମସ୍ତ ଦଳର ପ୍ରତିନିଧି ରହିବେ ଯାହା ଦ୍ୱାରା ସେମାନେ ସେମାନଙ୍କର ମତାମତ ଉପସ୍ଥାପନ କରିପାରିବେ। ଏହା ୨୦୨୯ ଲୋକସଭା ନିର୍ବାଚନରେ ହେବ ବୋଲି ରାଜନୈତିକ ମହଲରୁ ଶୁଣିବାକୁ ମିଳୁଛି । ଏନେଇ ଦିଲ୍ଲୀ ଦରବାରରେ କୁଆଡ଼େ ଜୋରଦାର କସରତ ଚାଲିଛି ।