fbpx

ଦୟନୀୟ ସ୍ଥିତିରେ କଂଗ୍ରେସ: ଦଳ ବଦଳ କରିବାକୁ ଶ୍ରେୟ ମଣୁଛନ୍ତି ବରିଷ୍ଠ ନେତା, ଆଉ ବଦଳି ଯାଉଛି ଭାଗ୍ୟ

ନୁଆଦିଲ୍ଲୀ: ଭାରତୀୟ ରାଜନୀତିରେ କଂଗ୍ରେସ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି । ୨୦୧୪ ପରଠୁ କଂଗ୍ରେସ ଦେଶରେ ଏହାର ଅସ୍ତିତ୍ୱ ହରାଇବାରେ ଲାଗିଛି । ଏଭଳି ସମୟରେ ଦଳର ଅନେକ ବରିଷ୍ଠ ନେତା ଦଳ ବଦଳ କରିବାକୁ ଶ୍ରେୟ ମଣୁଛନ୍ତି । ଏବେ ଦେଖିବାକୁ ମିଳୁଛି ଯେ, କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ବିଶେଷ କରି ବିଜେପିରେ ଯୋଗ ଦେଇଥିବା ନେତାଙ୍କ ଭାଗ୍ୟ ବଦଳି ଗଲାଣି । ଏପରିକି କିଛି ରାଜ୍ୟରେ ବିଜେପି ପୁର୍ବରୁ ଦଳରେ ଥିବା ନେତାଙ୍କୁ ପଛ କରି କଂଗ୍ରେସରୁ ଆସିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଦେଇଛି ।

ତ୍ରିପୁରା: ଗତକାଲି ତ୍ରିପୁରାରେ ଅଚାନକ ଭାବରେ ବିପ୍ଳବ ଦେବ ଇସ୍ତଫା ଦେବା ପରେ କଂଗ୍ରେସରୁ ୬ ବର୍ଷ ତଳେ ଆସି ବିଜେପିରେ ଯୋଗ ଦେଇଥିବା ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ । ପୁର୍ବରୁ ମଧ୍ୟ ବିଜେପି ଏହିପରି ନିଷ୍ପତି ନେଇଛି ।

ଆସାମ: ୨୦୨୧ରେ ଆସମ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ପରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ବାଦ୍ ଦେଇ କଂଗେସରୁ ବିଜେପି ଆସିଥିବା ହିମନ୍ତ ବିଶ୍ୱସର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନେଇଥିଲା । ୨୦୧୫ରେ କଂଗ୍ରେସ ଛାଡ଼ି ହିମନ୍ତ ବିଜେପିରେ ଯୋଗ ଦେଇଥିଲେ ।

ମଣିପୁର: ସେହିପରି ମଣିପୁରରେ ୨୦୧୭ ବିଧାନସଭା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଏନ ବିରେନ ସିଂ ୨୦୧୬ ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ୧୫ ବର୍ଷ ପରେ ରାଜ୍ୟରେ ଏକ ଅଣ କଂଗ୍ରେସ ସରକାର ଗଠନ ହେଲା ଏବଂ ବିଜେପି ଏନ ବିରେନ ସିଂଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା ।

ନାଗାଲାଣ୍ଡ: ନାଫିଉ ରିଓ ହେଉଛି ନାଗାଲାଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ଲଗାତାର ତିନିଟି ନିର୍ବାଚନରେ ବିଜୟୀ ହୋଇଛନ୍ତି । ରିଓ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ସେ ୨୦୦୨ ରେ କଂଗ୍ରେସ ଛାଡିଥିଲେ। ନାଗାଲାଣ୍ଡ ପ୍ରସଙ୍ଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏସସି ଜମିରଙ୍କ ସହ ମତଭେଦ ଥିବାରୁ ସେ ଇସ୍ତଫା ଦେଇଥିଲେ। ଏହା ପରେ ରିଓ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ରେ ଯୋଗ ଦେଇଥିଲେ । ୨୦୦୮ ରେ, ଡିଏଏନ ମିଳିତ ମଞ୍ଚ ରାଜ୍ୟରେ ସରକାର ଗଠନ କଲା ଏବଂ ରିଓ ମୁଖ୍ୟମନ୍ତ୍ରୀ ହେଲେ । ଏବଂ ଏହି ମେଣ୍ଟରେ ବିଜେପିର ମଧ୍ୟ ସଦସ୍ୟ ଥିଲା ।

 

Get real time updates directly on you device, subscribe now.