ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ଅପରାହ୍ନରେ ଅତିକ୍ରମ କରିବ ଉପକୂଳ
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ଏହି ଅବପାତ 20 କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ଏହି ଅବପାତ 20 କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଦୀଘାଠାରୁ 110 କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇ ଉତ୍ତର ଦିଗରେ ଗତି କରି ଅପରାହ୍ନରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ସାଗର ଦୀପ ଓ ଖେପୁପରା ମଧ୍ୟରେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନାରୁ ପ୍ରକାଶ। ତେବେ ଏହାର ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଥିବା ବେଳେ କିଛି ଜିଲ୍ଲାରେ ବର୍ଷା ହୋଇଛି ।
ସେପଟେ ଆଜି ପ୍ରବଳ ବର୍ଷା ନେଇ 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହ ଅଧିକାଂଶ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା । ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆସନ୍ତାକାଲି ଯାଏଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି । ଫସଲ କ୍ଷୟ ହେବାର ସମ୍ଭାବନା ରହିଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।