ମାସ ଆରମ୍ଭରୁ ଦୀପାବଳିରେ ଝଟକା, ଦେଶରେ ବଢିଲା LPG ଗ୍ୟାସ ଦାମ୍

ନୂଆଦିଲ୍ଲୀ: ଦୀପାବଳିକୁ ନେଇ ଦେଶରେ ଉତ୍ସାହର ମାହୋଲ ରହିଥିବା ବେଳେ ସରକାରୀ ତୈଳ କମ୍ପାନୀ ଜନତାଙ୍କ ଉପରେ ମହଙ୍ଗା ମାଡ କରିଛି । ମାସ ଆରମ୍ଭରୁ ଆଜି ପୁଣି ବଢିଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ନଭେମ୍ବର 1 ତାରିଖରୁ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି ହୋଇଥିବା ନେଇ ଘୋଷଣା କରାଯାଇଛି । କମର୍ସିଆଲ ଦର 62 ଟଙ୍କା ବଢି 1802 ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ଦିଲ୍ଲୀରେ ଗ୍ୟାସ ଦର 1802 ଟଙ୍କା ହୋଇଛି । ପୂର୍ବରୁ 1740 ଟଙ୍କା ରହିଥିଲା । ଦେଶର ଅନେକ ସ୍ଥାନରେ ଆଜି ଦୀପାବଳି ପାଳନ କରାଯାଉଛି । ଆଉ କିଛି ଦିନ ପରେ ଛଟ୍ ପର୍ବ ମଧ୍ୟ ପାଳନ କରାଯିବ । ଏହାରି ଭିତରେ ଗ୍ୟାସ ଦର ବଢିବା ଖାଉଟିଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇଦେଇଛି ।

ଦିଲ୍ଲୀରେ 19 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 1740 ରୁ 1802 ଟଙ୍କାକୁ ବୃଦ୍ଧି କରାଯାଇଛି । କୋଲକାତାର 1850 ରୁ 1911.50 ଟଙ୍କାକୁ ବୃଦ୍ଧି ହୋଇଛି । ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ 1692.50 ରୁ 1754.50 ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ୟାସ 1964.50ରୁ ବୃଦ୍ଧି ପାଇ 1903 ଟଙ୍କାରେ ପହଞ୍ଚିଛି । ତେବେ ଆଜିଠାରୁ କମର୍ସିଆଲ ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଥିଲେ ହେଁ ଘରୋଇ ସିଲିଣ୍ଡର ଦାମ୍ ନେଇ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ରେଷ୍ଟୁରାଣ୍ଟରେ ଭୋଜନ ଉପରେ ପ୍ରଭାବ ପକାଇପାରେ । ରେଷ୍ଟୁରାଣ୍ଟଗୁଡିକ ସେମାନଙ୍କର ଖାଦ୍ୟ ହାର ବୃଦ୍ଧି କରିପାରନ୍ତି ।