ଆଜିଠାରୁ ବଦଳିଗଲା ୫ଟି ବଡ଼ ନିୟମ: LPG ଗ୍ୟାସ୍, EV, ବ୍ୟାଙ୍କ ଜମା ଓ ମେଡିସିନକୁ ନେଇ ଆସିଲା ଅପଡେଟ୍

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଜୁନ୍ ମାସ । ଏହି ଅବସରରେ ମାସର ପହିଲାରୁ ୫ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଜରୁରୀ । କାରଣ ମାସ ଆରମ୍ଭରୁ ନିୟମ ବଦଳିବା ଫଳରେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଥାଏ । ଆଜିଠାରୁ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ଏଲପିଜି ଗ୍ୟାସ ଗ୍ରାହକଙ୍କ ପାଇଁ ୮୩.୫୦ ଟଙ୍କା ଶସ୍ତା ହୋଇଛି ।

ସେହିପରି ଜୁନ ମାସରେ ସାରା ଦେଶରେ ଇଲେକ୍ଟ୍ରିକ ଭେହିକିଲ (ଇଭି) କିଣିବା ମହଙ୍ଗା ହୋଇ ଯାଇଛି । ଇଭି ବା ସ୍କୁଟର କିଣିବା ପାଇଁ ଏଣିକି ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ଗତ ମାସରେ ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଫେମ-୨ ସବସିଡି ରାଶିରେ ପରିବର୍ତ୍ତନ କରଯାଇଛି । ଏଥିସହିତ ଏହାକୁ କମ୍ କରି ପ୍ରତି କେଡବ୍ଲ୍ୟୁଏଚ ପିଛା ୧୦,୦୦୦ ଟଙ୍କା କରାଯାଇଛି । ପୂର୍ବର ଏହି ରାଶି ୧୫ ହଜାର ରହିଥିଲା । ଏହି କାରଣରୁ ଅଧିକାଂଶ ଇଭି ଏବେ ୨୫ରୁ ୩୫ ହଜାର ଟଙ୍କା ମହଙ୍ଗା ହୋଇପାରେ ।

ଆଜିଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କରେ ଜମା ହୋଇଥିବା ଅଲକ୍ଲେମଡ ଆମାଉଣ୍ଟକୁ ସେଟମେଣ୍ଟ ନେଇ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଭିଯାନର ନାମ ‘୧୦୦ ଦିନ ୧୦୦ ପେଡ୍’ ରଖାଯାଇଛି । ଏନେଇ ପୂର୍ବରୁ ଆରବିଆଇ ପକ୍ଷରୁ ସୂଚିତ କରିଦିଆଯାଇଛି । ଭାରତୀୟ ଔଷଧୀୟ ମହାନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ କଫ ସିରପର ନମୂନା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ୧ ଜୁନରୁ ରପ୍ତାନୀ ପୂର୍ବରୁ ସିରପକୁ ଟେଷ୍ଟ କରାଇବା ଜରୁରୀ ହୋଇ ଯାଇଛି । ଜୁନ ମାସରେ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବାକୁ ଥିବାରୁ ଏହି ସମୟରେ କୌଣସି ଶାଖାରେ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ହୋଇ ପାରିବ ନାହିଁ । ବିଭିନ୍ନ ରାଜ୍ୟ ପାଇଁ ଛୁଟି ଦିବସ ଅଲଗା ଅଲଗା ରହୁଥିବାରୁ ଗ୍ରାହକମାନେ ଏନେଇ ଅପଡେଟ୍ ରହିବ ଜରୁରୀ ।