(Video) ଏ କେମିତିକା ଅହଙ୍କାର.. ପ୍ଲାଟଫର୍ମରେ ଶୋଇଥିବା ବେଳେ ଯାତ୍ରୀଙ୍କ ଉପରେ ପାଣି ଫିଙ୍ଗିଦେଲେ ସଫେଇ କର୍ମଚାରୀ

ନୂଆଦିଲ୍ଲୀ: ଲୋମଟାଙ୍କୁରା ଶୀତରେ ଚାଦର ଘୋଡାଇ ଶୋଇଛନ୍ତି ଯାତ୍ରୀ । କିଏ କାହା ଛୁଆକୁ କୋଳରେ ଧରି ଶୋଇଛି, ଆଉ ଏକ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଧରି ଶୋଇଛନ୍ତି । ଟ୍ରେନକୁ ଅପେକ୍ଷା କରି ଯାତ୍ରୀମାନେ ରେଳ ଷ୍ଟେସନର ପ୍ଲାଟଫର୍ମରେ ଶୋଇଥିବା ବେଳେ ସେମାନଙ୍କ ଉପରେ ପାଣି ଫିଙ୍ଗି ଦେଇଛନ୍ତି ସଫେଇ କର୍ମଚାରୀ । ଲକ୍ଷ୍ନୌର ଚାରବାଘ ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି ଏଭଳି ଅମନବୀୟ ଘଟଣା । ଗତ ଖ୍ରୀଷ୍ଟମାସ ଦିନର ଏହି ଘଟଣା ହୋଇଥିବା ବେଳେ ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ସବୁ ସ୍ଥାନରେ ନିନ୍ଦା କରାଯାଉଥିବା ବେଳେ ସମସ୍ତେ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସକାଳୁ ସକାଳୁ ଯାତ୍ରୀମାନେ ପ୍ଲାଟଫର୍ମରେ ଶୋଇଥିବା ବେଳେ ଏହି ସମୟରେ ସଫେଇ କର୍ମଚାରୀ ସଫା କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ସଫେଇ କର୍ମଚାରୀମାନେ ତାଙ୍କୁ ଉଠାଇବା ପରିବର୍ତ୍ତେ  ତାଙ୍କ ଉପରକୁ ପାଣି ଫିଙ୍ଗି ଦେଇଥିବା ଦେଖାଯାଇଛି । ଏଭଳି ଅମାନବୀୟ କାର୍ଯ୍ୟ କିପରି କରିପାରିଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯାତ୍ରୀମାନଙ୍କ ମଧ୍ୟରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ସମେତ ବୃଦ୍ଧ ଓ ବୃଦ୍ଧା ସମସ୍ତେ ସାମିଲ ଥିଲେ । ତେବେ ସଫେଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।