ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନାରେ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣକୁ ନେଇ ପ୍ରେସମିଟ କରିଛନ୍ତି ପଞ୍ଜାବ ଡିଜିପି । ପଞ୍ଜାବ ପୋଲିସର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ଏକ ପ୍ରେସ ମିଟ କରିବା ସହିତ ବିସ୍ଫୋରଣ ପଛରେ ଆଇଏସଆଇ ଓ ଖଲିସ୍ତାନୀ ଲିଙ୍କ ଥିବା କହିଛନ୍ତି । ଏହା ସହିତ ଏହି ବିସ୍ଫୋରଣରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ପୂର୍ବତନ ପୋଲିସ କର୍ମଚାରୀ । ସରକାରୀ ବ୍ୟବସ୍ଥା ପ୍ରତି ଥିବା ବିଦ୍ୱେଷ କାରଣରୁ ସେ ଏମିତି ପଦକ୍ଷେପ ନେଇଥିବା ଜଣାପଡିଛି । ପ୍ରାରମ୍ଭିକ ତଦନ୍ତରୁ ଏହା ଆଇଏସଆଇର କାମ ଭଳି ଲାଗୁଛି ମାତ୍ର ଅନ୍ୟ ଦିଗକୁ ଧ୍ୟାନ ଦେଲେ ଅଲଗା ଶକ୍ତିଙ୍କ ସମ୍ପୃକ୍ତିର ସମ୍ଭାବନା ରହିଛି ।
ସୂଚନା ମୁତାବକ, ଗଗନଦୀପ ପଞ୍ଜାବ ପୋଲିସର ବହିଷ୍କୃତ ହେଡ଼ କନଷ୍ଟେବଳ ଥିଲେ । ସେ ପଞ୍ଜାବର ଖନ୍ନାରେ ରହୁଥିେଲେ ଓ ୨ ବର୍ଷ ଜେଲଦଣ୍ଡ ଶେଷ କରି ବାହାରକୁ ଆସିଥିଲେ । ତେବେ ଲୁଧିଆନା କୋର୍ଟରେ ଗୁରୁବାର ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ବୋମା ଲଗାଇଥିଲା ବୋଲି ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଫରେନ୍ସିକ୍ ରିପୋର୍ଟ ଆଧାରରେ ପଞ୍ଜାବ ପୋଲିସ କହିଛି କି, ଏହି ବିସ୍ଫୋରଣରେ ଆରଡିଏକ୍ସ ବ୍ୟବହାର ହୋଇଥିଲା । ପୋଲିସର କହିବା ମୁତାବକ, କୋର୍ଟ ପରିସରରେ ଯେଉଁ ବିସ୍ଫୋରଣ ହୋଇଥିବା ସେଥିରେ ଅଭିଯୁକ୍ତ ପ୍ରାୟ ୨ କିଲୋ ଆରଡିଏକ୍ସ ବ୍ୟବହାର କରିଥିଲା ।