fbpx

ଆରପାରିରେ ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି: ୩୦୦ରୁ ଅଧିକ ଗୀତର ଥିଲେ ରଚୟିତା

Advertisement

ବାରିପଦା: କଳାର ସହର ବାରିପଦାରୁ ବାହୁଡି ଯାଇଛନ୍ତି ଆଉ ଜଣେ ବିଶିଷ୍ଟ କଳାକାର । ସହର ପାଇଁ ଅନେକ ଗର୍ବ ଏବଂ ଗୌରବ ଆଣିଥିବା ଆଉ ଜଣେ ପ୍ରତିଭାଙ୍କୁ ହରାଇଛି ପବିତ୍ର ମାଟି । ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଏବେ ଆର ପାରିରେ । ଗତକାଲି ବାରିପଦା ପୁରୁଣା ହାଟସାହିସ୍ଥିତ ନିଜ ବାସଭବନରେ ଦୁନିଆରୁ ବିଦାୟ ନେଇଛନ୍ତି ନିମାଇଁ । କିଛି ଦିନରୁ ଅସୁସ୍ଥତା ସହ ଲଢେଇ କରୁ କରୁ ଶେଷରେ ୬୯ ବର୍ଷ ବୟସରେ ଆକି ବୁଜିଛନ୍ତି । ତାଙ୍କ ମୃତ୍ୟୁରେ ଓଡିଆ ସିନେମା ସହିତ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଗୀତିକାର ଭାବେ ପ୍ରସିଦ୍ଧିଲାଭ କରିଥିବା ନିମାଇଁ ମହାନ୍ତି ଆହୁରି ଅନେକ କଳାର ଅଧିକାରୀ ଥିଲେ । ସେ ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ଆଇନଜୀବୀ ମଧ୍ୟ ଥିଲେ । ତାଙ୍କ ହାତରେ ଲେଖାଯାଇଥିବା ଅନେକ ଗୀତରେ ଓଡିଶା ସଂଗୀତ ଜଗତର ବହୁ ପ୍ରସିଦ୍ଧ ଗାୟକ ନିଜ କଣ୍ଠସ୍ୱର ଦେଇଛନ୍ତି । ଏଥିରେ କିମ୍ବଦନ୍ତୀ ଅକ୍ଷୟ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ବାପ୍ପି ଲହରୀଙ୍କ ସହ ଶାନ୍ତନୁ ମହାପାତ୍ରଙ୍କ ସହ ରଘୁନାଥ ପାଣିଗ୍ରାହୀ ପ୍ରମୁଖଙ୍କ ନାଁ ମଧ୍ୟ ସାମିଲ ରହିଛି । ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୩୦୦ରୁ ଅଧିକ ଗୀତ ରଚନା କରିଥିବା ବେଳେ ୩୦ଟି ଚଳଚ୍ଚିତ୍ରରୁ ଅଧିକ ସିନେମାକୁ ନିଜ ଗୀତରେ ସଜାଇଥିଲେ । ପରଦେଶୀ ଚଢେଇ, ସାଗର ଗଙ୍ଗା, ମୋ କାହ୍ନୁରେ, ଅକୁହା କଥା, ଗୋପରେ ବଢୁଛି କଳା କହ୍ନେଇ ଏବଂ ସମୟ ଖେଳୁଛି ଚକା ଭଉଁରୀ ଆଦି ଚଳଚ୍ଚିତ୍ରରେ ତାଙ୍କ ଗୀତ ବେଶ ଲୋକପ୍ରିୟ ହୋଇପାରିଥିଲା ।

ସେହିପରି ଇଡିଅଟ୍, ପ୍ରେମରୋଗୀ, ତୁ ରାଜା ମୁ ରାଣୀ, ଇସ୍କ ତୁହି ତୁ, ଅ ଆ ଇ ଭଳି ସିନେମାରେ ମଧ୍ୟ ତାଙ୍କ ଗୀତ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏହାବ୍ୟତୀତ ଧାରାବାହିକ ଗାୟତ୍ରୀ, ପ୍ରାୟଶ୍ଚିତ, ଓଢଣି ତଳର ଲୁହ ଆଦିରେ ମଧ୍ୟ ତାଙ୍କ ଗୀତ ରହିଥିଲା । ଏଥିପାଇଁ ୨୦୦୧ରେ ମୟୁରଭଞ୍ଜର ଛଉ ନୃତ୍ୟଗବେଷଣା ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏବଂ ୨୦୧୦ରେ ଓଡିଶା ସଙ୍ଗୀତ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ସ୍ୱର୍ଗତ ନିମାଇଁ ମହାନ୍ତି ।

Get real time updates directly on you device, subscribe now.