ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ମା’ ସମଲେଇ ପ୍ରକଳ୍ପ । ଏନେଇ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ ସମେତ ସମ୍ବଲପୁର ସହରର ପ୍ରମୁଖ ଦେବାଳୟକୁ ନିମନ୍ତ୍ରଣ ସରିଛି । ଏଥିସହ ଆଜି ଦ୍ବିତୀୟ ପର୍ଯ୍ୟାୟ ନିମନ୍ତ୍ରଣ ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାକୁ ନିମନ୍ତ୍ରଣ ପାଇଁ ବାହାରିଛନ୍ତି ସ୍ଵତନ୍ତ୍ର ଟିମ୍ । ଏନେଇ ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ୫ଟି ଟିମ୍ କରାଯାଇଛି । ଅଗକୁ ଏହି ଟିମ୍ ୩୦ଟି ଜିଲ୍ଲା ଗସ୍ତ କରି ପ୍ରମୁଖ ଦେବାଳୟ ଗୁଡିକୁ ନିମନ୍ତ୍ରଣ ଦେବାର ରହିଛି କାର୍ଯ୍ୟକ୍ରମ । ଆଜିଠୁ ଟିମ୍ ୩୦ଟି ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି ।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଷୋଡ଼ଶ ଶତାବ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମନ୍ଦିରର ସୌନ୍ଦର୍ଯ୍ୟୀକରଣ ସହିତ ଭକ୍ତମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତୀକରଣ କରାଯାଉଛି । ଏହି ପ୍ରକଳ୍ପର ଠିକ୍ କାର୍ଯ୍ୟାନ୍ବୟନ ପାଇଁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା’ ସମଲେଶ୍ବରୀଙ୍କୁ ପୂଜା କରି ମା’ ପାଟଣେଶ୍ୱରୀ, ମା’ ଦଶମତୀ, ମା’ ବାଟମଙ୍ଗଳା, ସୋମନାଥ ବାବା ଏବଂ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି।