ଦେଶରେ ୫ ରାଜ୍ୟରେ ନିର୍ବାଚନକୁ ନେଇ ଖୁବ୍ ଶୀଘ୍ର ହୋଇପାରେ ଘୋଷଣା, ଆଜି ବସୁଛି ନିର୍ବାଚନ ଆୟୋଗ ବୈଠକ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ସହିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଖୁବ୍ ଶୀଘ୍ର ବିଗୁଲ ବାଜିବାକୁ ଯାଉଛି । ଗୁରୁବାର ନିର୍ବାଚନ ଆୟୋଗ ନିର୍ବାଚନ ପୂର୍ବ ସ୍ଥିତି ସମୀକ୍ଷା ଲାଗି ତେଲେଙ୍ଗାନାରେ ପହଞ୍ଚିଥିଲେ । ଏହାପରେ ଆଜି ଦିଲ୍ଲୀରେ ଏ ନେଇ ବୈଠକ ଆହ୍ୱାନ କରାଯାଇଛି । ଏହି ବୈଠକରେ ସମସ୍ତ ୫ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯିବ । କୁହାଯାଉଛି ଏହି ବୈଠକ ପରେ ନିର୍ବାଚନ ତାରିଖକୁ ନେଇ ଘୋଷଣା କରାଯିବ ଓ ନିର୍ବାଚନ ହେବାକୁ ଥିବା ସମସ୍ତ ରାଜ୍ୟରେ ଅଧିସୂଚନା ଜାରି ହୋଇଯିବ । କୁହାଯାଉଛି ଏହି ଶନିବାରରୁ ସୋମବାର ମଧ୍ୟରେ ନିର୍ବାଚନ ଆୟୋଗ ଯେ କୌଣସି ଦିନ ତାରିଖ ଘୋଷଣା କରିପାରନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ତେଲେଙ୍ଗାନା ଯିବା ପୂର୍ବରୁ ନିର୍ବାଚନ ଆୟୋଗ ରାଜସ୍ଥାନ, ମିଜୋରାମ, ମଧ୍ୟପ୍ରଦେଶ ଓ ଛତିଶଗଡରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିସାରିଛନ୍ତି । ନଭେମ୍ବର ଓ ଡିସେମ୍ବରରେ ସମସ୍ତ ୫ ରାଜ୍ୟରେ ନିର୍ବାଚନ ହେବ ଓ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଫଳାଫଳ ଆସିଯିବ । ମିଜୋରାମରେ ବିଧାନସଭା କାର୍ଯ୍ୟକାଳ ୧୭ ଡିସେମ୍ବରରେ ଶେଷ ହେବାକୁ ଯାଉଛି । ଏହାପୂର୍ବରୁ ସେଠାରେ ନିର୍ବାଚନ ଫଳାଫଳ ଆସିଯାଇଥିବ । ସେହିପରି ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଧାନସଭା କାର୍ଯ୍ୟକାଳ ଆଗାମୀ ବର୍ଷ ଜାନୁୟାରୀରେ ଅଲଗା ଅଲଗା ସମୟରେ ଶେଷ ହେବାକୁ ଯାଉଛି ।

ଏହି ୫ ଟି ରାଜ୍ୟରେ ୨୦୧୮ରେ ନିର୍ବାଚନ ହୋଇଥିଲା । ତେଲେଙ୍ଗାନାରେ ଏବେ ଭାରତ ରାଷ୍ଟ୍ର ସମିତି ସରକାରରେ ଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି, ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଦଳ କ୍ଷମତାରେ ଅଛି ।