fbpx

ଐତିହାସିକ ପ୍ୟାରୀମୋହନଙ୍କ ସ୍ମୃତିରକ୍ଷା ପାଇଁ ଚିଠି ଲେଖିଲେ ମାହାଙ୍ଗା ବିଧାୟକ, ଜୟନ୍ତୀ ପାଳନ ସହିତ ରାଜଧାନୀରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ଭୁବନେଶ୍ୱର: ମାହାଙ୍ଗାର ବରପୁତ୍ର ତଥା “ଉତ୍କଳପୁତ୍ର” ପତ୍ରିକାର ସୁଯୋଗ୍ୟ ସମ୍ପାଦକ ଦେବାତ୍ମା ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସ୍ମୃତିରକ୍ଷା ଲାଗି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପତ୍ର ଲେଖିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମାହାଙ୍ଗା ହେଉଛି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାଷ୍କର୍ଯ୍ୟର ଏକ ଅନୁପମ ଅଞ୍ଚଳ । ଏଠାରେ ଜନ୍ମାଲାଭ କରି ଆପଣାର ସାଧନା ବଳରେ ଅନେକ ସାରସ୍ୱତ ପ୍ରତିଭା ଓ ବରପୁତ୍ର ଓଡ଼ିଆ ସାହିତ୍ୟ ସଂସ୍କୃତିକୁ ବହୁ ଭାବରେ ସମୃଦ୍ଧ ଓ ବଳିଷ୍ଠ କରିଛନ୍ତି । ଆଧୁନିକ ଓଡ଼ିଶାର ନିର୍ମାଣରେ ମାହାଙ୍ଗାର ବରପୁତ୍ରମାନଙ୍କ ଅବଦାନ ଅତୁଳନୀୟ । ଏମାନଙ୍କ ମଧ୍ୟରେ ମାହାଙ୍ଗାର ସୁଯୋଗ୍ୟ ସନ୍ତାନ ତଥା ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ ହେଉଛନ୍ତି ଅନ୍ୟତମ । ୧୮୫୧ ମସିହା ଅଗଷ୍ଟ ୫ତାରିଖରେ ଜନ୍ମଗ୍ରହଣ କରି ମାତ୍ର ୩୦ବର୍ଷ ବୟସରେ ୧୮୮୧ ମସିହା ଡିସେମ୍ବର ୨୮ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।

ଓଡ଼ିଆ ଜାତିର ଇତିହାସକୁ ଆତ୍ମ ପରିଚୟ ଦେବା ଉଦ୍ଦେଶ୍ୟରେ ୧୮୭୯ ମସିହାରେ “ଓଡ଼ିଶାର ଇତିହାସ” ରଚନା କରି ପ୍ୟାରୀମୋହନ ଓଡ଼ିଶାର ସାହିତ୍ୟ ସଂସ୍କୃତି ଜାତୀୟତା ଓ ସ୍ୱାଭିମାନକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛନ୍ତି । ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ସେ ଯୁବକ ବୟସରେ ଜମି ଦାନ କରି ପ୍ରତିଷ୍ଠା କରିଥିବା ବିଦ୍ୟାଳୟ ଆଜି ପ୍ୟାରୀମୋହନ ଏକାଡେମୀ ଭାବରେ ପ୍ରତିଷ୍ଠା ଲାଭ କରିଛି । ତେଣୁ ଏଭଳି ଜଣେ ଯୋଗଜନ୍ମାଙ୍କ ସ୍ମୃତିରକ୍ଷା ନିମିତ୍ତ ରାଜଧାନୀ ଭୁବନେଶ୍ୱର ଠାରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ତାଙ୍କ ଜୟନ୍ତୀକୁ ମଧ୍ୟ ରାଜ୍ୟସ୍ତରରେ ପାଳନ ପାଇଁ ବିଧାୟକ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

 

Get real time updates directly on you device, subscribe now.