ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଗର୍ଭଯନ୍ତ୍ରଣାରେ ଗର୍ଭବତୀ ଜଣକ ଛଟପଟ ହେଉଥିବାରୁ ତରତର ହୋଇ ଆମ୍ବୁଲାନ୍ସଟି ତାଙ୍କୁ ମେଡିକାଲ ନେଇ ଯାଉଥିଲା । ଏହାପରେ ହଠାତ୍ ଧୂଆଁ ବାହାରିବା ସହିତ ବିସ୍ଫୋରଣ ହୋଇଥିଲା । ହୁତୁହୁତୁ ହୋଇ ଜଳି ଉଠିଲା ଆମ୍ବୁଲାନ୍ସ । ଏହି ନିଆଁ ପ୍ରଭାବରେ ଆଖପାଖରେ ଥବବା ଘରଦ୍ୱାର ବି ପୋଡିଯାଇଥିଲା । ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏଭଳି କିଛି ଦୁର୍ଘଟଣା । ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଛି ।
ସୂଚନା ମୁତାବକ, ବୁଧବାର ରାତିରେ ମହାରାଷ୍ଟ୍ର ଜଲଗାଓଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଉଥିଲା । ଏତିକି ବେଳେ ଆମ୍ବୁଲାନ୍ସର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିଥିଲେ ଡ୍ରାଇଭର । ଏହାପରେ ତୁରନ୍ତ କିଛି ଅଘଟଣ ଘଟିବା ପୂର୍ବରୁ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାରକୁ ଆଣି ନିଜେ ମଧ୍ୟ ଓହ୍ଲାଇ ପଡିଥିଲେ । ପରେ ଦେଖୁ ଦେଖୁ ଆମ୍ବୁଲାନ୍ସରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଆମ୍ବୁଲାନ୍ସରେ ରଖାଯାଇଥିବା ଅମ୍ଲଜାନ ସିଲିଣ୍ଡର ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଏହି ପୂରା ଘଟଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସ୍ପୋରଣ ଯୋଗୁଁ ଆଖପାଖରେ ଥିବା ଘରର ଝରକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏଥିସହ ଆମ୍ବୁଲାନ୍ସଟି ମଧ୍ୟ ପୂରାପୂରି ଖଣ୍ଡଖଣ୍ଡ ହୋଇଯାଇଛି । ସେପଟେ ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ହସ୍ପିଟାଲକୁ ପଠାଯାଇଛି ।