ନୂଆଦିଲ୍ଲୀ: ଆଜି ଫଡନାବିସ କ୍ୟାବିନେଟର ସଂପ୍ରସାରଣ ହେବ । ନାଗପୁରରେ ଶପଥ ନେବେ 35ଜଣ ମନ୍ତ୍ରୀ । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ 43ଜଣ ସଦସ୍ୟ ରହିପାରିବେ । କହିରଖୁଛୁ କି, ଗତ 5 ତାରିଖରେ ମୁମ୍ବାଇରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଶିବସେନା ନେତା ଏକନାଥ ସିନ୍ଦେ ଓ ଏନସିପି ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କିନ୍ତୁ ମେଣ୍ଟର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଠିକ୍ ଭାବେ ହୋଇନଥିବା କାରଣରୁ ମନ୍ତ୍ରୀମାନେ ଶପଥ ନେଇପାରିନଥିଲେ । ତେବେ ଏକ ସୁତ୍ରରୁ ଜଣାପଡିଛି ଯେ, ଆଜି ବିଜେପିକୁ 20-21 ମନ୍ତ୍ରୀ ପଦ, ଶିବସେନା ସିନ୍ଦେକୁ 11-12, ଏନସିପି ଅଜିତ ପାଓ୍ବାର ଗୋଷ୍ଠୀକୁ 9ରୁ 10 ମନ୍ତ୍ରୀପଦ ମିଳିପାରେ ।
ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାବନକୁଲେ ଶୁକ୍ରବାର କ୍ୟାବିନେଟ୍ ଚୂଡ଼ାନ୍ତ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହିତ ଅଲଗା ଅଲଗା ଚର୍ଚ୍ଚା କରିଥିଲେ । ବିଜେପି ପକ୍ଷରୁ ଚନ୍ଦ୍ରଶେଖର ବାବନକୁଲେ, ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗାନ୍ତିୱାର, ପଙ୍କଜା ମୁଣ୍ଡେଙ୍କ ନାମ ସବୁଠୁ ଆଗରେ ରହିଛି । ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ମୋଟ ୨୮୮ଟି ଆସନ ମଧ୍ୟରୁ ୨୩୦ଟି ଆସନ ହାତେଇଥିଲା । ସେଥିମଧ୍ୟରୁ ବିଜେପି ଏକାକୀ ୧୩୨ଟି ଆସନ ପାଇଥିବାବେଳେ ଶିବସେନା ୫୭, ଏନ୍ସିପି ୪୧ଟି ଆସନ ପାଇଥିଲା । ଆଜି ସନ୍ଧ୍ୟା 4ଟାରେ ନାଗପୁରରେ କ୍ୟାବିନେଟ ସଂପ୍ରସାରଣ ହେବ । ଶପଥ ନେବେ 35 ଜଣ ମନ୍ତ୍ରୀ ।