ମହାରାଷ୍ଟ୍ର ରାଜନୀତିରେ ହଇଚଇ: କୁନାଲ କହିଲେ ରାଜନେତାଙ୍କୁ ଥଟ୍ଟା କରିବା ଆଇନ ବିରୋଧୀ ନୁହେଁ, ବିଷୟରେ ଏକ ସୀମା ରହିବା ଜରୁରୀ କହିଲେ ସିନ୍ଦେ
ସିନ୍ଦେଙ୍କୁ ଅପମାନିତ କରିଥିବାରୁ କାମରା କ୍ଷମା ମାଗିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବହୁତ ହଇଚଇ ଦେଖାଯାଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରା ଦେଇଥିବା ମନ୍ତବ୍ୟ ପରେ ବିବାଦ ବଢ଼ିବାରେ ଲାଗିଛି ।
ଗୋଟିଏ ପଟେ, ଉଦ୍ଧବ ଠାକରେ ଗୋଷ୍ଠୀ କୁନାଲ କାମରାଙ୍କ ସମର୍ଥନରେ ଥିବା ବେଳେ ଅନ୍ୟପଟେ, ମୁମ୍ବାଇ ପୋଲିସ କୁନାଲ କାମରାଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛି । ଏହାରି ଭିତରେ ଏକନାଥ ସିନ୍ଦେଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।
କଣ କହିଲେ ଏକନାଥ ସିନ୍ଦେ- ହାସ୍ୟ ଅଭିନେତା କୁନାଲ କାମରାଙ୍କ ମନ୍ତବ୍ୟ ଉପରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଅଭିବ୍ୟକ୍ତିର ସ୍ୱାଧୀନତା ଅଛି । ଆମେ ବ୍ୟଙ୍ଗ ବୁଝୁ, କିନ୍ତୁ ଏହାର ଏକ ସୀମା ରହିବା ଉଚିତ । ଏହା କାହା ବିରୁଦ୍ଧରେ କହିବା ପାଇଁ ‘ସୁପାରି’ ନେବା ପରି । ସାମ୍ନାରେ ଥିବା ବ୍ୟକ୍ତି ମଧ୍ୟ ଏକ ନିର୍ଦ୍ଦିଷ୍ଟ ସ୍ତର ବଜାୟ ରଖିବା ଉଚିତ, ନଚେତ୍ କ୍ରିୟାର ପ୍ରତିକ୍ରିୟା ହୋଇଥାଏ ।
କଣ ପୋଷ୍ଟ କରିଥିଲେ କୁନାଲ- ବିବାଦ ଭିତରେ ସୋମବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ କୁନାଲ ଲେଖିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତା କେବଳ ଶକ୍ତିଶାଳୀ ଲୋକଙ୍କ ପ୍ରଶଂସା କରିବାରେ ସୀମିତ ହେବା ଉଚିତ୍ ନୁହେଁ । କାମରା କହିଛନ୍ତି ଯେ ସାର୍ବଜନୀନ ବ୍ୟକ୍ତିବିଶେଷଙ୍କ ଉପରେ ପରିହାସ କରିବାର ତାଙ୍କର ଅଧିକାର କେବେ ପରିବର୍ତ୍ତନ ହେବ ନାହିଁ । ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମଧ୍ୟ ମନା କରିଦେଇଥିଲେ। ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନରେ ପୋଲିସକୁ ସହଯୋଗ କରିବାକୁ ପ୍ରସ୍ତୁତ ।
ସେ ଆହୁରି ମଧ୍ୟ କହିଛନ୍ତି, ମନୋରଞ୍ଜନ ସ୍ଥାନ କେବଳ ଏକ ମଞ୍ଚ, ସମସ୍ତ ପ୍ରକାରର ଶୋ ପାଇଁ ଏକ ସ୍ଥାନ । ମୁଁ ଏହି ଭିଡ଼କୁ ଭୟ କରେ ନାହିଁ । ମୁଁ ମୋ ବିଛଣା ତଳେ ଲୁଚି ରହି ଘଟଣା ଶାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ନାହିଁ।
ସେ ଏକ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି, ଜଣେ ହାସ୍ୟ ଅଭିନେତାଙ୍କ କଥା ପାଇଁ ଏକ ସ୍ଥାନ ଉପରେ ଆକ୍ରମଣ କରିବା ଟମାଟୋ ବୋଝେଇ ଟ୍ରକକୁ ଓଲଟାଇ ଦେବା ପରି ମୂର୍ଖତା । କାରଣ ଆପଣଙ୍କୁ ପରିବେଷଣ କରାଯାଇଥିବା ବଟର ଚିକେନ ପସନ୍ଦ ଆସିଲା ନାହିଁ । ତେବେ ଏହି ବିବାଦ ଭିତରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସିନ୍ଦେଙ୍କୁ ଯେଉଁଁ ଅପମାନିତ କରାଯାଇଛି, ସେନେଇ କାମରା କ୍ଷମା ମାଗିବା ଉଚିତ ।