ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜାରି ରହିଛି । ବହୁ ମତରେ ବିଜୟ ହାସଲ କରିବା ପରେ ମହାୟୁତି ମେଣ୍ଟରେ ମନ୍ଥନ ଚାଲିଛି । ଦେବେନ୍ଦ୍ର ଫଡନାଭିସଙ୍କ ନାମ ସମସ୍ତେ ନେଉଛନ୍ତି, ହେଲେ ଅଫିସିଆଲ ଭାବେ ତାଙ୍କ ନାମ ଘୋଷଣା ହୋଇନାହିଁ । ଏହାରି ମଧ୍ୟରେ ବିଜେପିର ଜଣେ ବରିଷ୍ଠ ନେତା ଶନିବାର ଦେବେନ୍ଦ୍ର ଫଡନାଭିସଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରତିଯୋଗୀତାରେ ସବୁଠୁ ଆଗରେ ବୋଲି କହିଛନ୍ତି । ସେ ଦାବି କରିଛନ୍ତି ଯେ, ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ନୂଆ ସରକାର ପାଞ୍ଚ ଡିସେମ୍ବରରେ ଶପଥ ନେବେ ।
୨୦ ନଭେମ୍ବରରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟୀ (ଏସିପି)ଙ୍କ ମେଣ୍ଟ ମହାୟୁତି ୨୮୮ରୁ ୨୩୦ ସିଟ ଜିତି କ୍ଷମତା ବଜାୟ ରଖିଛି । ବିଜେପି ୧୩୨ ସିଟ ଜିତି ସବୁଠୁ ବଡ଼ ପାର୍ଟୀ ଭାବେ ଉଭା ହୋଇଛି । ସିନ୍ଦେଙ୍କ ଶିବସେନାକୁ ୫୭ ଏବଂ ଏନସିପିଙ୍କୁ ୪୧ ସିଟରେ ସନ୍ତୋଷ ହେବାକୁ ପଡିଛି । କହିବାକୁ ଗଲେ ୨୩ ନଭେମ୍ବରରେ ନିର୍ବାଚନ ଫଳାଫଳର ଘୋଷଣା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
ସିନ୍ଦେ, ଫଡନାଭିସ ଏବଂ ପାୱାର ଗୁରୁବାର ରାତିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହଙ୍କ ବୈଠକ କରିଥିଲେ । ବୈଠକରେ ଆଗାମୀ ସରକାରଙ୍କ ପ୍ରସଙ୍ଗ ଉପରେ ସହମତି ପ୍ରକାଶ କରିବାକୁ ପ୍ରୟାସ ହୋଇଥିଲା । ଶୁକ୍ରବାର ହେବାକୁ ଥିବା ମହାୟୁତିର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଥିଲା । ତେବେ ଏହି ବୈଠକ ରବିବାର ଦିନ ଆୟୋଜିତ ହେବ ବୋଲି ଆଶା ରଖାଯାଇଛି ।