fbpx

ଏହି ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ, ମହିଳା କରିଥାନ୍ତି ପୂଜାର୍ଚ୍ଚନା

ଭାରତରେ ଦେବା ଦେବୀଙ୍କୁ ନେଇ ବିଭିନ୍ନ ପରମ୍ପରା ପ୍ରଚଳିତ । ସେହିପରି ମନ୍ଦିରକୁ ନେଇ କିଛି ଧାର୍ମିକ ମାନ୍ୟତା ରହିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠାରେ ପୁରୁଷଙ୍କ ଯିବା ନିଷେଧ । କେବଳ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଦେଶର ଥିବା ଏମିତି କିଛି ମନ୍ଦିର ବିଷୟରେ :

୧. କୁମାରୀ ଅମ୍ମନ ମନ୍ଦିର: ଏହି ମନ୍ଦିର ଦେଶର ଦକ୍ଷିଣ କୋଣ କନ୍ୟାକୁମାରୀରେ ସ୍ଥିତ । ଏହି ମନ୍ଦିର ଗର୍ଭଗୃହରେ ଦେବୀ ଭଗବତି ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଏ । ଏଠାକୁ ବିବାହିତ ପୁରୁଷଙ୍କ ପ୍ରବେଶ ନିଷେଧ । କେବଳ ସନ୍ୟାସୀ(ବ୍ରହ୍ମଚାରୀ) ଙ୍କୁ ଏହି ମନ୍ଦିରର ଦ୍ୱାର ପର୍ଯ୍ୟନ୍ତ ଯିବାର ଅନୁମତି ଅଛି । ପୌରାଣିକ ମାନ୍ୟତା ଅନୁଯାୟୀ ମାତା ପାର୍ବତୀ ଏହି ସ୍ଥାନରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ଆଶା ନେଇ କଠୋର ତପସ୍ୟା କରିଥିଲେ । ବର୍ତ୍ତମାନ ସେହି ସ୍ଥାନରେ ମନ୍ଦିର ନିର୍ମାଣ କରାଯାଇଛି । ଏହି ମନ୍ଦିରରେ ମହିଳାମାନେ ମାତା ଭଗବତିଙ୍କୁ କନ୍ୟା ରୂପରେ ପୂଜାର୍ଚ୍ଚନା କରିଥାନ୍ତି ।

୨. କାମାକ୍ଷା ମନ୍ଦିର: ଆସାମର ଗୁଆହାଟିରେ ସ୍ଥିତ ଏହି ମନ୍ଦିର । ଏହା ଏକ ଶକ୍ତି ପୀଠ । ଦେବୀଙ୍କ ମାସିକ ଧର୍ମ ସମୟରେ ଏହି ମନ୍ଦିରର ମୁଖ୍ୟ ଦ୍ୱାର ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥାଏ । ଏହି ସମୟରେ ପୁରୁଷମାନଙ୍କ ପ୍ରବେଶ ନିଷେଧ । କେବଳ ମହିଳା ପୂଜାରୀମାନେ ଦେବୀଙ୍କ ପୂଜା ଓ ଅନ୍ୟ କାମ କରିଥାନ୍ତି । ପ୍ରତି ବର୍ଷ ଏଠାରେ ପ୍ରସିଦ୍ଧ ଅମ୍ବୁଚି ମେଳା ଆୟୋଜନ ହୋଇଥାଏ । ଦୂର ଦୂରନ୍ତାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।

୩. ଭଗବାନ ବ୍ରହ୍ମାଙ୍କ ମନ୍ଦିର: ରାଜସ୍ଥାନରେ ସ୍ଥିତ ଏହି ପ୍ରସିଦ୍ଧ ବ୍ରହ୍ମା ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ବିବାହିତ ପୁରୁଷଙ୍କୁ ଗର୍ଭଗୃହରେ ପ୍ରବେଶ ମନା । ଧାର୍ମିକ ମନ୍ୟତା ଅନୁଯାୟୀ ଏକଦା ଭଗବାନ ବ୍ରହ୍ମା ପତ୍ନୀ ଦେବୀ ସରସ୍ୱତୀଙ୍କ ସହ ଯଜ୍ଞ ଆୟୋଜନ ନେଇ ମନସ୍ଥ କରିଥିଲେ । କିନ୍ତୁ ଦେବୀ ସରସ୍ୱତୀଙ୍କୁ ଆସିବାରେ ବିଳମ୍ବ ହୋଇଯିବାରୁ ଭଗବାନ ବ୍ରହ୍ମ ଦେବୀ ଗାୟତ୍ରୀଙ୍କ ସହ ବିବାହ କରି ଯଜ୍ଞ ସମ୍ପନ୍ନ କରିଥିଲେ । ଏଥିରେ କ୍ରୋଧିତ ହୋଇ ଦେବୀ ସରସ୍ୱତୀ ଅଭିଶାପ ଦେଇଥିଲେ ଯେ କୌଣସି ବିବାହିତ ପୁରୁଷକୁ ଗର୍ଭଗୃହରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏପରି କଲେ ବୈବାହିକ ଜୀବନରେ ଅଶାନ୍ତି ଓ ସଂକଟ ଦେଖାଯିବ ।

୪. ଅଟ୍ଟୁକଲ ଭଗବତି ମନ୍ଦିର: ଏହି ମନ୍ଦିର କେରଳରେ ସ୍ଥିତ । ଏହି ମନ୍ଦିରରେ ଉତ୍ସବ ଆୟୋଜନ ସମୟରେ ମହିଳାମାନେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି । ଏହି ମନ୍ଦିରରେ କେବଳ ମହିଳା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

୫. ଚକ୍କୁଲାଥୁକାଭୁ ମନ୍ଦିର: କେରଳରେ ସ୍ଥିତ ଏହି ମନ୍ଦିର ଦେବୀ ଭଗବତୀଙ୍କୁ ସମର୍ପିତ । ପ୍ରତି ବର୍ଷ ପୋଙ୍ଗଲ ଦିନ ନାରୀ ପୂଜା ହୋଇଥାଏ । ୧୦ ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ପୁରୁଷଙ୍କ ପ୍ରବେଶ ଉପରେ ରୋକ ଲାଗିଥାଏ । କନ୍ୟା ପୂଜାର ଶେଷ ଦିନ ମହିଳାମାନଙ୍କ ପାଦ ଧୋଇଥାନ୍ତି ।

୬. ସନ୍ତୋଷୀ ମା’ଙ୍କ ମନ୍ଦିର: ଯୋଧପୁରରେ ସ୍ଥିତ ଏହି ମନ୍ଦିରରେ ଶୁକ୍ରବାର ପୁରୁଷଙ୍କୁ ପ୍ରବେଶ ଅନୁମତି ନାହିଁ । କିନ୍ତୁ ଅନ୍ୟ ଦିନରେ ପୁରୁଷମାନେ ମନ୍ଦିର ଦ୍ୱାରରୁ ମାତାଙ୍କ ଦର୍ଶନ କରିଥାନ୍ତି । ଶୁକ୍ରବାର ମାତା ସନ୍ତୋଷୀଙ୍କ ବାର ହୋଇଥିବାରୁ କୁମାରୀ କନ୍ୟା ଓ ମହିଳାମାନେ ବ୍ରତ ରଖିଥାନ୍ତି ।

Get real time updates directly on you device, subscribe now.