ଏସିଏଫ୍ ମୃତ୍ୟୁ ରହସ୍ୟ: ଥାନାଧିକାରୀ ମମତା ପଣ୍ଡାଙ୍କୁ ଚାଲିଛି ଜେରା, ପୋଲିସ ଦେଇଥିଲା କ୍ଲିନଚିଟ୍, କ୍ରାଇମବ୍ରାଞ୍ଚ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଜାରି ରହିଛି । ତେବେ ଆଜି ଗୁରାଣ୍ଡି ଥାନାଧିକାରୀ ମମତା ରାଣୀ ପଣ୍ଡାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ମମତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର । ଆମ୍ବୁଲାନ୍ସକୁ ଅଧାବାଟରେ ଅଟକାଇବାକୁ ନେଇ ସନ୍ଦେହଘେରକୁ ଆସିଥିଲେ ମମତା । ପୂର୍ବରୁ ପୋଲିସ ଏହି ଘଟଣାର ତଦନ୍ତ କରି ମମତାଙ୍କୁ କ୍ଲିନଚିଟ୍ ଦେଇଥିଲା । ତେବେ କ୍ରାଇମବ୍ରାଞ୍ଚ ମମତାଙ୍କ କ୍ଷେତ୍ରରେ କି ପଦକ୍ଷେପ ନେଉଛି ତାହା ଜଣାପଡ଼ିବ ।

ସୂଚନାଥାଉ କି ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆମ୍ବୁଲାନ୍ସ ଡ୍ରାଇଭର, ବନ କର୍ମଚାରୀ, ଜଗୁଆଳୀଙ୍କୁ ଜେରା କରିଥିଲା । ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି । ପରେ ସୌମ୍ୟଙ୍କ ଚିକିତ୍ସା କରିଥିବା ତିନିଜଣ ଡାକ୍ତର ଅଭିଳାଷ ପଣ୍ଡା, କେ. ବେହେରା ଓ ପ୍ରମୋଦ କୁମାର ପଣ୍ଡାଙ୍କୁ ମାରାଥନ୍ ଜେରା କରଥିଲା କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ପୋଲିସର ତଦନ୍ତ ଶୈଳୀ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର । ପୋଲିସ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ଜାଣିଶୁଣି ଘଣ୍ଟା ଘୋଡ଼ାଇ ଘଟଣାକୁ ଚାପି ଦେଉଥିବା ପରିବାରବର୍ଗଙ୍କ ହୃଦବୋଧ ହୋଇଥିଲା । ତେଣୁ ସୌମ୍ୟଙ୍କ ପରିବାର ବର୍ଗ ଡିଜିପି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ ।