ମଣିଷ ଚାହିଁଲେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ: ଅବିଶ୍ୱାସ ହେଉଛି କି, ପଢ଼ନ୍ତୁ କ’ଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ ଏଇ ଶତାବ୍ଦୀର ସବୁଠାରୁ ବଡ଼ ଇଚ୍ଛା କ’ଣ, ତେବେ ଆପଣ କ’ଣ ଉତ୍ତରଦେବେ ଜାଣିଛନ୍ତି କି? ତାହା ହେଉଛି ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚି ରହିବା, ଯେଉଁ ଇଚ୍ଛା କାହାର ବି ପୂରଣ ହୁଏ ନାହିଁ । ଥରେ ମହାନ୍ ଆମେରିକୀୟ ମହାନ ହାସ୍ୟକାର, ଉପନ୍ୟାସକାର ତଥା ଲେଖକ ମାର୍କ ଟ୍ୱେନ୍ କହିଥିଲେ- ‘ଯଦି ଆମେ ୮୦ ବର୍ଷ ବୟସ ପରେ ଜନ୍ମ ହୁଅନ୍ତେ, ପୁଣି ଧିରେଧିରେ ୧୮ ବର୍ଷକୁ ଚାଲିଆସନ୍ତେ, ତେବେ ସତରେ ଜୀବନଟା ଖୁସିରେ ଭରି ଯାଆନ୍ତା ।’ ମଣିଷ ଧରାପୃଷ୍ଠରେ କେତେଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରିବ, ତା’ର ତଥ୍ୟ ସିଙ୍ଗାପୁରର ରିସର୍ଚ୍ଚରମାନେ ଗବେଷଣା କରି ପ୍ରଦାନ କରିଛନ୍ତି ।

ବାୟୋଟେକ କମ୍ପାନୀ ଜେରୋର ରିସର୍ଚ୍ଚରମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ, ମଣିଷର ଜୀବନର ସୀମା ୧୨୦ରୁ ୧୫୦ ବର୍ଷ ମଧ୍ୟରେ ରହିବା ନେଇ ସ୍ଥିରୀକୃତ ହୋଇଛି । ମୃତ୍ୟୁ ହେଉଛି ଏକ ବାୟୋଲୋଜିକାଲ ପ୍ରପର୍ଟି ଯାହା ଚାପ ଜନିତ ପ୍ରକ୍ରିୟା କାରଣରୁ ହୋଇଥାଏ । ମଣିଷର ରକ୍ତ କଣିକା ଓ ଚାଲିବାର ଷ୍ଟେପକୁ ଅଧ୍ୟୟନରେ ସାମିଲ କରାଯାଇଥିଲା । ତିରିଶରୁ ଚାଳିଶ ବର୍ଷ ମଧ୍ୟରେ ଶରୀରର ସ୍ଥିରତା ହ୍ରାସ ପାଇବା ସହ ଚାପକୁ ନିୟନ୍ତ୍ରଣ କରିବାର କ୍ଷମତା ହରାଇ ବସିଥାଏ । ଔଷଧର ବିକାଶ ପ୍ରକ୍ରିୟା କାରଣରୁ ମଣିଷର ଜୀବନ କାଳ ହ୍ରାସ ପାଇଥାଏ ବୋଲି କୁହାଯାଇଛି । ଅର୍ଥାତ ଆଧୁନିକ ଯୁଗରେ ବିଜ୍ଞାନ ଯେତିକି ଉନ୍ନତି କରୁଛି, ପ୍ରକୃତି ଦତ୍ତ ମଣିଷର ଆୟୁଷ ସେତିକି ମାତ୍ରାରେ ହ୍ରାସ ଘଟୁଛି । ଏ ଦୁନିଆରେ ଯଦି କିଛି ଲୋକ ୧୦୦ରୁ ଅଧିକ ବର୍ଷ ବଞ୍ଚିପାରୁଛନ୍ତି, ଅନ୍ୟମାନେ ହୁଏତ ସେତିକି ବା ତା’ଠାରୁ ଅଧିକ ବର୍ଷ ବଞ୍ଚିପାରନ୍ତେ । ସୂଚନା ଯୋଗ୍ୟ ଯେ, ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଫ୍ରାନ୍ସର ଜିନ୍ନେ କାଲମେଣ୍ଟ ୧୨୨ ବର୍ଷରେ ମୃତ୍ୟୁବରଣ କରିଥିଲେ ।