fbpx

ନୂଆ ଜାତୀୟ ରେକର୍ଡ କଲେ ମଣିକାନ୍ତ: ୧୦.୨୩ ସେକେଣ୍ଡରେ ସମାପ୍ତ କଲେ ୧୦୦ ମିଟର ରେସ୍

ନୂଆଦିଲ୍ଲୀ: ନ୍ୟାସନାଲ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ମଣିକାନ୍ତ ହାବଲିଧର ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେବା ଆଥଲେଟ ମଣିକାନ୍ତ ପୁରୁଷ ୧୦୦ ମିଟର ସେମିଫାଇନାଲ ରେସକୁ ୧୦.୨୩ ସେକେଣ୍ଡରେ ସମାପ୍ତ କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଅମିୟ କୁମାର ମଲ୍ଲିକ (୧୦.୨୬ ସେକେଣ୍ଡ)ଙ୍କ ନାମରେ ରହିଥିଲା । ମାତ୍ର ମଣିକାନ୍ତ ତାହାକୁ ଏବେ ଅତିକ୍ରମ କରି ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ।

୮ ବର୍ଷ ପୂର୍ବେ ଗତ ୨୦୧୬ରେ ଅମୀୟ ୧୦.୨୬ ସେକେଣ୍ଡରେ ଏହି ରେସିଂ ସମାପ୍ତ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ବେଙ୍ଗାଲୁରୁ ଠାରେ ଚାଲିଥିବା ଜାତୀୟ ଓପନ ଚାମ୍ପିୟନଶିପରେ ସର୍ଭିସ ସ୍ପ୍ରିଣ୍ଟର ମଣିକାନ୍ତ ୧୦୦ ମିଟରରେ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପନ କରିଥିଲେ । ମଣିକାନ୍ତ ଦିନର ପ୍ରଥମ ପ୍ରତିଯୋଗିତାରେ ୧୦.୫୦ ସେକେଣ୍ଡରେ ରେସିଂ ସମାପ୍ତ କରିଥିଲେ ।

ଏନେଇ ୨୨ ବର୍ଷୀୟ ମଣିକାନ୍ତ କହିଛନ୍ତି, ଏହି ସଫଳତା ପାଇବି ବୋଲି ପୂର୍ବରୁ ମୋର ଆଶା ରହିଥିଲା । ଫାଇନାଲରେ ମୁଁ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବି । ମୋତେ ମୋର କୋଚ ଓ ଫିଜିଓ ବହୁତ ସହଯୋଗ କରିଥିଲେ । ମୁଁ ସେମାନଙ୍କୁ ବିଶ୍ୱାସ କରେ । ସେଥିପାଇଁ ମୁଁ ଜାତୀୟ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲି । ସୂଚନାଯୋଗ୍ୟ ଯେ, ଗତ ଜୁନରେ ଅନୁଷ୍ଠିତ ହୋଇଥିବା ଆନ୍ତଃରାଜ୍ୟ ଚାମ୍ପିୟନଶିପରେ ମଣିକାନ୍ତ ସେମିରେ ୧୦.୯୩ ସେକେଣ୍ଡରେ ରେସିଂ ସମାପ୍ତ କରିଥିଲେ । ଏହାପରେ ସେ ଫାଇନାଲରୁ ବଞ୍ଚିତ ହୋଇଥିଲେ ।

Get real time updates directly on you device, subscribe now.