fbpx

ଶିବଙ୍କ ଭକ୍ତିରେ ତଲ୍ଲୀନ ଥିଲେ ଶ୍ରଦ୍ଧାଳୁ, ମନ୍ଦିର ଉପରେ ଅଚାନକ ଅଜାଡି ହୋଇପଡିଲା କାଳ ପାହାଡ, ତା’ ପରେ…

ସିମଳା: ଆଜି ଥିଲା ଶ୍ରାବଣ ମଳମାସର ସୋମବାର । ବହୁସଂଖ୍ୟାରେ ଭକ୍ତ ଶିବମନ୍ଦିରରେ ପ୍ରଭୁଙ୍କୁ ପୂଜା କରିବା ଲାଗି ଭିଡ ଜମାଇଥିଲେ । ଏହି ସମୟରେ କାଳ ରୂପରେ ଅଚାନକ ପାହାଡ ଅଜାଡି ହୋଇପଡିଲା ପ୍ରଭୁ ଆଶୁତୋଷଙ୍କ ମନ୍ଦିର ଉପରେ । ନିମିଷକେ ସବୁକିଛି ଛାରଖାର ହୋଇଗଲା । ଏହି ଘଟଣା ହିମାଚଳପ୍ରଦେଶ ସିମଳାର । ଏଠାରେ ଗତ ୪୮ଘଣ୍ଟା ଧରି ଲାଗି ରହିଥିବା ମୂଷଳ ଧାରାରେ ବର୍ଷା ଆଜି ସବୁଠାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ସିମଳା ଉପନଗର ସରମହିଲ ସ୍ଥିତ ଶିବ ମନ୍ଦିର ଉପରେ ଭୂସ୍ଖଳନ କାରଣରୁ ଆଜି ଏକ ପାହାଡ ଖସି ପଡିବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏବେ ବି କିଛି ଲୋକ ମାଟି ତଳେ ଚାପି ହୋଇ ରହିଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ଲାଗି ଯୁଦ୍ଧସ୍ତରରେ କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶ୍ରାବଣ ମାସର ପ୍ରତି ସୋମବାର ଏଠିକାର ଶିବ ମନ୍ଦିରରେ ମହାଦେବଙ୍କୁ କ୍ଷୀର ସ୍ନାନ ଲାଗି ବଡି ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଭୀଷଣ ବର୍ଷାକୁ ଖାତିର ନ କରି ଆଜି ବି ବଡି ଭୋରୁ ଭକ୍ତମାନେ ବହୁ ସଂଖ୍ୟାରେ ମନ୍ଦିରରେ ଏକତ୍ରୀତ ହୋଇଥିଲେ । କିଛି ପୂଜା କରୁଥିଲେ ତ ଆଉ କିଛି କ୍ଷୀର ଢାଳିବାକୁ ପ୍ରସ୍ତୁତ ହେଉଥିଲେ । ସବୁ ଶ୍ରଦ୍ଧାଳୁ ମହାଦେବଙ୍କ ଭକ୍ତିରେ ତଲ୍ଲୀନ ଥିଲେ । କିନ୍ତୁ ଏହି ସମୟରେ ଅଚାନକ ପ୍ରଳୟ ମାଡି ଆସିଲା । ମନ୍ଦିର ଉପରେ ଥିବା ପାହାଡ ଅଚାନକ ଅଜାଡି ହୋଇପଡିଲା । କିଛି ଲୋକ ଜୀବନ ବଞ୍ଚାଇବାକୁ ଦୌଡିଥିବା ବେଳେ ଆଉ କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିଲେ । ଏହି ଘଟଣାରେ ଏବେ ଆହୁରି ୨୫ରୁ ୩୦ ଲୋକ ମାଟି ତଳେ ଚପି ହୋଇ ରହିଥିବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.