fbpx

କାଲିଠୁ ଏହି କ୍ଷେତ୍ରରେ ବଦଳିଯିବ ଅନେକ ନିୟମ

ନୂଆଦିଲ୍ଲୀ, ୩୧।୧୦ : ନଭେମ୍ବର ୧ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍‌ୱେ ଟାଇମ୍ ଟେବଲ୍‌ ପର୍ୟ୍ୟନ୍ତ‌ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିବ। ଜାଣନ୍ତୁ ନୂଆ ନିୟମ କଣ କଣ…

– ନଭେମ୍ବର ୧ ତାରିଖରୁ ଏଲ‌ପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିଯିବ। ତୈଳ କମ୍ପାନୀ ୧ ତାରିଖରୁ ଡେଲିଭରି ଅଥେଣ୍ଟିକେସନ୍ କୋଡ (DAC) ସିଷ୍ଟମ ଲାଗୁ କରିବ। ଗ୍ୟାସ ଡେଲିଭରି ପୂର୍ବରୁ ଉପଭୋକ୍ତାଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ। ସିଲିଣ୍ଡର ଘରକୁ ଆସିଲେ ସେହି ଓଟିପି ଡେଲିଭରି ବଏ ସହ ସେୟାର କରିବାକୁ ହେବ। ଓଟିପି ସିଷ୍ଟମ ସହ ମ୍ୟାଚ ହେବାପରେ ସିଲିଣ୍ଡର ଡେ଼ଲିଭର ହେବ।

– ଯଦି ଆପଣ ଇଣ୍ଡେନ ଗ୍ୟାସ ଗ୍ରାହକ ତାହେଲେ ଆଉ ପୁରୁଣା ନମ୍ବରରେ ଗ୍ୟାସ ବୁକିଂ କରିପାରିବେ ନାହିଁ। ଇଣ୍ଡେନ ନିଜର ଏଲପିଜି ଗ୍ରାହକଙ୍କୁ ତାଙ୍କର ପଞ୍ଜିକୃତ ମୋବାଇଲ ନମ୍ବରକୁ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ପଠାଇଛି। ବର୍ତ୍ତମାନ ଇଣ୍ଡେନ ଗ୍ରାହକଙ୍କୁ ସିଲିଣ୍ଡର ବୁକିଂ ପାଇଁ ୭୭୧୮୯୫୫୫୫୫ ଏହି ନମ୍ବରରେ କଲ କିମ୍ବା ଏସଏମଏସ କରିବାକୁ ହେବ।

– କାଲିଠାରୁ ମଧ୍ୟ ଏଲ‌ପିଜି ଗ୍ୟାସ୍‌ ସିଲିଣ୍ଡରର ନୂଆ ଦର ଲାଗୁ ହୋଇପାରେ। ଅକ୍ଟୋବର ମାସରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ହେଲେ କମର୍ସିଆଲ୍‌ ଗ୍ୟାସ୍‌ ଦରରେ ବୃଦ୍ଧି ଘଟିଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଦେଶର ସରକାରୀ ତୈଳ କମ୍ପାନୀ ପ୍ରତ୍ୟେକ ମାସ ପହିଲାରେ ଏଲ୍‌ପିଜି ସିଲିଣ୍ଡର ନୂଆ ଦର ସ୍ଥିର କରିଥାନ୍ତି।

– ନଭେମ୍ବର ୧ ତାରିଖରୁ ଏସବିଆଇର ମଧ୍ୟ କିଛି ନିୟମ ପରିବର୍ତ୍ତନ ହେବ। ଏସବିଆଇ ଶେଭିଂ ଖାତାରେ କମ ସୁଧ ମିଳିବ। ୧ ତାରିଖରୁ ଯେଉଁ ଶେଭିଂ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ଯାଏଁ ରାଶି ଜମା ଅଛି ସେଥିରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ ପାଇ ୩.୨୫ ପ୍ରତିଶତ ହେବ। ଏକ ଲକ୍ଷ ଟଙ୍କାରୁ ଅଧିକ ରାଶି ଜମା ଥିଲେ ରେପୋ ରେଟ ଅନୁସାରେ ସୁଧ ମିଳିବ।

– ସାରା ଦେଶରେ ଭାରତୀୟ ରେଲ୍‌ୱେ ଟ୍ରେନ୍‌ର ଟାଇମ୍‌ ଟେବୁଲ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି। ଅକ୍ଟୋବରରେ ଏହି ପରିବର୍ତ୍ତନ ହେବାର ଥିଲା। ହେଲେ କୌଣସି କାରଣ ଯୋଗୁ ଏହା ହୋଇପାରନଥିଲା। ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧ରୁ ଭାରତୀୟ ରେଳ ସାରା ଦେଶର ଟ୍ରେନ୍ ଟାଇମ୍ ବଦଳାଇବାକୁ ଯାଉଛି। ୧ ତାରିଖରୁ ନୂଆ ଟାଇମ ଟେବୁଲ ଜାରି ହେବ। ୧୩ ହଜାର ଯାତ୍ରୀବାହୀ ଟ୍ରେନ୍ ଓ ୭ ହଜାର ମାଲବାହୀ ଟ୍ରେନ୍ ଟାଇମ୍ ବଦଳିଯିବ। ଦେଶର ୩୦ ରାଜଧାନୀ ଟ୍ରେନ୍ ଟାଇମ୍ ଟେବୁଲ୍ ମଧ୍ୟ ୧ ତାରିଖରୁ ବଦଳିଯିବ।

Get real time updates directly on you device, subscribe now.