fbpx

ପ୍ରେମର ଜୀବନ୍ତ ପ୍ରତିମୂର୍ତ୍ତି ‘ଗୀତାଞ୍ଜଳି-ଗୌତମ’, ଜାଣନ୍ତୁ ପୂରା ଘଟଣା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଖିରେ ଆଖିରେ ପ୍ରେମ । ଆଞ୍ଜୁଳାଏ ସ୍ୱପ୍ନ । ଅସରନ୍ତି ଭରସା ଆଉ ହୃଦୟ ଭରି ପ୍ରେମ । ଇସାରା ଇସାରାରେ କଥାବାର୍ତ୍ତା ପରେ ପ୍ରେମରୁ ବାହାଘର । ଏମିତି ଜୀବନ ସାଥୀ ହୋଇଛନ୍ତି ଦୁଇ ପ୍ରାଣୀ । ଉଦାହରଣ ସୃଷ୍ଟି କରିଛନ୍ତି ଗୀତାଞ୍ଜଳି ଆଉ ଗୌତମ ।

ସୂଚନା ଅନୁସାରେ ଭୁବନେଶ୍ୱର-ଜଟଣୀ ମୁକ ବଧିର ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ ଗୀତାଞ୍ଜଳି ଓ ଗୌତମ । ସେହି ପାଠପଢ଼ା ଭିତରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଲେ । କେହି କାହା ସହିତ କଥା ହୋଇ ପାରୁନାହାନ୍ତି କିନ୍ତୁ ପରସ୍ପରର ଭାବାବେଗକୁ ଭଲରେ ବୁଝି ପାରୁଛନ୍ତି । ଇସାରା ଇସାରାରେ ଦୁହେଁ ହୃଦୟର କଥା ଅନ୍ୟକୁ ଜଣାଇ ପାରୁଛନ୍ତି । ଫଳ ସ୍ୱରୂପ ଦୁହେଁ, ଜୀବନ ସାଥୀ ହୋଇଛନ୍ତି ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ଏମିତିକା ବାହାଘର ଯାହାକି ଦୁଇଟି ଭାବନାର ପ୍ରକୃତ ମିଳନ । ଭାବନାର ପରିପ୍ରକାଶ କେବଳ ହୃଦୟ ସଂକେତ । ପିଲାଟି ବେଳୁ ପାଟି ଖୋଲି କିଛି କହି ପାରନ୍ତି ନାହିଁ ଗୌତମ । ଜୀବନ ସାଥୀଙ୍କ ଅବସ୍ଥା ବି ଠିକ୍ ସେମିତି । କିନ୍ତୁ ସାତ ଜନ୍ମର ସାଥୀ ହୋଇଛନ୍ତି ଦୁହେଁ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବଟଗ୍ରାମର ସ୍ୱର୍ଗତ ନିଶିକାନ୍ତ ଦାସଙ୍କ ପୁତ୍ର ଗୌତମ ଦାସ । ଭୁବନେଶ୍ୱର ଜଟଣୀ ମୁକ ବଧିର ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ସେହିପରି ବୌଦ୍ଧ ଜିଲ୍ଲାର ବଡ଼ା ଗାଁର ଗୀତାଞ୍ଜଳି । ଦୁହିଁଙ୍କ ପ୍ରେମରେ ପଡ଼ିଛି ଆଶୀର୍ବାଦର ଦୂବ ଚାଉଳ । ଏହାକୁ ନେଇ ବନ୍ଧୁ ବାନ୍ଧବ ମଧ୍ୟ ଖୁବ୍ ଖୁସି । ଜଣେ ଦିବ୍ୟାଙ୍ଗ ଆଉଜଣେ ଦିବ୍ୟାଙ୍ଗଙ୍କୁ ପିନ୍ଧାଇଲେ ସିନ୍ଦୁର । ସତରେ ପ୍ରେମ ଶାଶ୍ୱତ, ନିରନ୍ତର, ଚିରନ୍ତନ… ଦୁହେଁ ସୃଷ୍ଟି କରିଲେ ଉଦାହରଣ ।

 

 

Get real time updates directly on you device, subscribe now.