fbpx

କରୋନା ବଢ଼ିଲା, ମାସ୍କ ଫେରିଲା: ୬ଟି ରାଜ୍ୟରେ ନୂଆ ସବ୍ ଭାରିଆଣ୍ଟ JN.1୧ର ସଂକ୍ରମଣ ବୃଦ୍ଧି ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଦେଶର କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଆ, କେରଳ, ମହାରାଷ୍ଟ୍ର ଆଦି ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବ୍ୟାପିବାରେ ଲାଗିଛି । ସେହିପରି ୮ ମାସ ପରେ କୋଭିଡ-୧୯ର ଏକ ମାମଲା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଗାଜିଆବାଦରେ ବିଜେପି କାଉନସିଲର ଅମିତ ତ୍ୟାଗି କରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲର୍ଟ ସ୍ଥିତି ସୃଷ୍ଟି ହୋଇଛି । ପୁଣି ଥରେ ଲୋକଙ୍କ ମଧ୍ୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଆଇସୋଲେସନ ଆଦି ଶବ୍ଦ ଦେଖିବାକୁ ମିଳିବ । ତେବେ କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ମାସ୍କ ପିନ୍ଧିବାକୁ ନିଷ୍ପତ୍ତି ଦିଆଯାଇଛି । ଏଥିସହିତ ଭିଡ଼ ସ୍ଥାନକୁ ନ ଯିବାକୁ, ହସ୍ପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତ ୨୦ ତାରିଖରେ ୩ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ସେହିପରି ରାଜସ୍ଥାନରେ ମଧ୍ୟ ନୂଆ ସବ୍ ଭାରିଆଣ୍ଟର ୨୧ଟି ମାମଲା ଚିହ୍ନଟ ହେବା ପରେ ଟେନସନ ବଢ଼ିଯାଇଛି । ରାଜ୍ୟର ଜୈସଲମେରରୁ ୨ଟି ମାମଲା ମିଳିଛି । ହରିୟାଣାରେ କୌଣସି ମାମଲା ଆସିନଥିଲେ ହେଁ ଇନଫ୍ଲୁଏନଜା ପରି ବିମାରୀ (ଆଇଏଲଆଇ) ଓ ଗମ୍ଭୀର ତୀବ୍ର ଶ୍ୱାସ ସଂକ୍ରମଣ (ସାରି)ର ମାମଲାର ଆରଟି-ପିସିଆର ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ସ୍ଥିତିରେ ଓଡ଼ିଶାର ଜନସାଧାରଣ କରୋନାକୁ ନେଇ ସାବଧାନ ରହିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.