ସେନା ଓ ସରକାରଙ୍କ ବିରୋଧରେ କହିପାରିବନି ମିଡିଆ, ପାକିସ୍ତାନରେ ନୂଆ ନିୟମକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗର କଳଙ୍କକୁ ମୁଣ୍ଡାଇ ଆସିଥିବା ପାକିସ୍ତାନ ସରକାର ନିଜ ଦେଶରେ ପୁଣି ଏକଛତ୍ରବାଦ ଶାସନ ଚଳାଇବାକୁ ପ୍ରୟାସ କରୁଥିବା ଭଳି ଖବର ଆସିଛି । ଦେଶରେ ଜାରି ହୋଇଥିବା ଏକ ନୂଆ ନିୟମ ଅନୁସାରେ ଏଣିକି ସେନା ଓ ସରକାରଙ୍କ ବିରୋଧରେ ମିଡିଆ ବା ଗଣମାଧ୍ୟମ କିଛି କହିପାରିବନି । ଅର୍ଥାତ୍ ପ୍ରେସ୍ ର ପାଟି ବନ୍ଦ କରାଇବାକୁ ପାକ୍ ସରକାର ପ୍ରୟାସ କରିଛନ୍ତି ବୋଲି ବିଭିନ୍ନ ମହଲରୁ ପ୍ରତିବାଦ ଆରମ୍ଭ ହୋଇଗଲାଣି । ପ୍ରେସ୍ ସ୍ୱାଧୀନତାକୁ ଧ୍ୱଂସ କରିଦେବାକୁ ଚାହୁଥିବା ପାକ୍ ର ଏଭଳି ନୂଆ ନିୟମକୁ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ।

ସୂଚନା ଅନୁସାରେ ଇମ୍ରାନ୍ ଖାନ୍ ସରକାର ମିଡିଆ ବିରୋଧରେ ଆଣିଥିବା ଏହି ନୂଆ ନିୟମକୁ ନେଇ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଗଲାଣି । ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ୍ ଲିଗ ପକ୍ଷରୁ ନୂଆ ନିୟମକୁ ତୀବ୍ର ବିରୋଧ କରାଯିବା ସହ ଏହା ବାକ୍ ସ୍ୱାଧୀନତାର ପରିପନ୍ଥୀ ବୋଲି ମଧ୍ୟ କୁହାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକିସ୍ତାନ ମିଡିଆ ଡେଭଲୋପମେଣ୍ଟ୍  ଅଥରିଟି ଅଡିସନ୍-୨୦୨୧ ବିଲ୍ ଆଣିବାକୁ ଚାହୁଛନ୍ତି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପିଏମଏଲ-ଏନ ର ମୁଖପାତ୍ରା ପ୍ରଶ୍ନ କରିିଛନ୍ତି ଯେ ଏହା ଦ୍ୱାରା ସରକାର ଗଣମାଧ୍ୟମକୁ ତାଙ୍କର ମୁଖପତ୍ର ବନାଇବାକୁ ଚାହୁଛନ୍ତି ନା ପୂରା ବନ୍ଦ କରାଇଦେବାକୁ ଉଦ୍ୟମ କରୁଛି?

ନୂଆ ନିୟମରେ କଣ ଅଛି?

ପାକ୍ ସରକାର ଆଣିବାକୁ ଚାହୁଥିବା ନୂଆ ବିଲ୍ ଅନୁସାରେ ଗଣମାଧ୍ୟମ ସହ ସମ୍ପୃକ୍ତ ରହିଥିବା ପୂର୍ବର ଅନେକ ନିୟମକୁ ସେ ରଦ୍ଦ କରିବାକୁ ଚାହୁଛନ୍ତି । ପ୍ରିଣ୍ଟ ଓ ଇଲେକ୍ଟ୍ରି ମିଡିଆଠାରୁ ଆରମ୍ଭ କରି ଡିଜିଟାଲ୍ ମିଡିଆ ପର୍ଯ୍ୟନ୍ତ ଏହି ନୂଆ ନିୟମାବଳୀର ପରିସରଭୁକ୍ତ ହେବେ । ପାକ୍ ସରକାରଙ୍କ କହିବା ଅନୁସାରେ ଏକ ଅଥରିଟି ଗଠନ କରାଯିବ, ଯିଏ କି ଦେଶର ସମସ୍ତ ପ୍ରକାର ଗଣମାଧ୍ୟମ ପାଇଁ ନିୟମାବଳୀ ପ୍ରସ୍ତୁତ କରିବେ । ଏପରିକି ଖବରକାଗଜ ଓ ଟିଭି ଭଳି ଅନ୍ୟ ମାଧ୍ୟମଗୁଡ଼ିକୁ ମଧ୍ୟ ଲାଇସେନ୍ସ କରିବା ଆବଶ୍ୟକ । ଖାଲି ସେତିକି ନୁହେଁ, ଓଟିଟି ପ୍ଳାଟଫର୍ମ ଆଦି ପାଇଁ ମଧ୍ୟ ନୂଆ ନିୟମ ଲାଗୁ କରାଯିବ ବୋଲି ପାକ୍ ସରକାର ପକ୍ଷରୁ କୁହାଯାଇଛି ।