fbpx

ଗୋଷ୍ଠୀ ବେତାରକେନ୍ଦ୍ରଗୁଡ଼ିକ ଜନଭାଗୀଦାରି ଓ ଜନଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ: କେନ୍ଦ୍ରମନ୍ତ୍ରୀ ଅନୁରାଗ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରସାରଣ ଦିବସ । ଏହି ଅବସରରେ ନୂଆଦିଲ୍ଲୀରରେ ଆଞ୍ଚଳିକ ଗୋଷ୍ଠୀ ବେତାର କେନ୍ଦ୍ର ସମ୍ମିଳନୀକୁ ଉଦ୍‍ଘାଟନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଗୋଷ୍ଠୀ ବେତାରକେନ୍ଦ୍ରଗୁଡ଼ିକ ଜନଭାଗିଦାରୀ ଓ ଜନ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଶ୍ରୀ ଠାକୁର କହିଛନ୍ତି ସମ୍ପ୍ରଦାୟଗୁଡ଼ିକୁ ସୂଚନା ଯୋଗାଇବା କ୍ଷେତ୍ରରେ ଗୋଷ୍ଠୀ ରେଡ଼ିଓ କେନ୍ଦ୍ର ଗୁଡ଼ିକ ବଡଧରଣର ଅବଦାନ ରଖିଛନ୍ତି । ସେ କହିଛନ୍ତି ଦେଶର ଦୁର୍ଗମ ଅଞ୍ଚଳରେ ଥିବା ସ୍ଥାନଗୁଡ଼ିକରେ ସଚେତନତା ସୃଷ୍ଟି କରିବା ଓ ସମାଧାନ ସୂତ୍ର ପହଞ୍ଚାଇବାରେ ଏହି ରେଡ଼ିଓ କେନ୍ଦ୍ରଗୁଡ଼ିକର ଅବଦାନ ଯଥେଷ୍ଟ ରହିଛି । ଗତ ୯ ବର୍ଷ ଭିତରେ ଦେଶରେ ୪୪୮ଟି ଗୋଷ୍ଠୀ ରେଡ଼ିଓ କେନ୍ଦ୍ର ସ୍ଥାପନ କରାଯାଇଥିବା ବିଷୟ ପ୍ରତି ସେ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ଗୋଷ୍ଠୀ ରେଡ଼ିଓ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି । ଶ୍ରୀ ଠାକୁର କହିଛନ୍ତି ଯେକୌଣସି ସ୍ଥାନରେ ରେଡ଼ିଓ ମାଧ୍ୟମ ପହଞ୍ôଚ ଯାଇପାରୁଛି । ଗୋଷ୍ଠୀ ରେଡ଼ିଓ କେନ୍ଦ୍ର ଖୋଲିବା ପାଇଁ ଲାଇସେନ୍ସ ପ୍ରକ୍ରିୟାକୁ ସରକାର କୋହଳ କରିଥିବା ସେ କହିଛନ୍ତି ।

ଚଳିତବର୍ଷ ଜାତୀୟ ପ୍ରସାରଣ ଦିବସର ବାର୍ତ୍ତା ହେଉଛି ‘ରେଡ଼ିଓ ଏବଂ ଶାନ୍ତି’ । ୧୯୨୭ ମସିହା ଆଜିର ଦିନରେ ବମ୍ବେ ଷ୍ଟେସନରୁ ପ୍ରଥମଥର କରି ରେଡ଼ିଓର ପ୍ରସାରଣ ହୋଇଥିଲା । ୧୯୩୬ ମସିହା ଜୁନ୍‍ ୮ ତାରିଖରେ ଇଣ୍ଡିଆନ ଷ୍ଟେଟ୍‍ ବ୍ରଡକାଷ୍ଟିଂ ସର୍ଭିସ୍‍ ଅଲ୍‍ ଇଣ୍ଡିଆ ରେଡ଼ିଓ – ଆକାଶବାଣୀ ଭାବେ ପରିଗଣିତ ହୋଇଥିଲା । କେନ୍ଦ୍ରୀୟ ସମ୍ବାଦ ସଂସ୍ଥା – ସିଏନ୍‍ଓ ୧୯୩୭ ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା । ସେହିବର୍ଷ ଏଆଇଆର୍‍ ଯୋଗାଯୋଗ ବିଭାଗ ଅଧୀନକୁ ଆସିଥିଲା ବେଳେ ୪ ବର୍ଷ ପରେ ଏହା ସୂଚନା ଏବଂ ପ୍ରସାରଣ ବିଭାଗ ଅଧୀନକୁ ଆସିଥିଲା । ପରବର୍ତ୍ତୀ ବର୍ଷରେ ସିଏନ୍‍ଓ ୨ଟି ବିଭାଗରେ ବିଭକ୍ତ ହୋଇଥିଲା । ସେହି ଦୁଇଟି ବିଭାଗ ହେଉଛି ନ୍ୟୁଜ୍‍ ସର୍ଭିସେସ୍‍ ଡିଭିଜନ ଏନ୍‍ଏସ୍‍ଡି ଏବଂ ଏକ୍ସଟରନାଲ ସର୍ଭିସେସ୍‍ ଡିଭିଜନ ଇଏସ୍‍ଡି । ୧୯୫୬ ମସିହାରେ ଆକାଶବାଣୀ ନାମକୁ ଜାତୀୟ ପ୍ରସାରଣକାରୀ ସଂସ୍ଥା ରୂପେ ପରିଗଣିତ କରାଯାଇଥିଲା । ସେହିପରି ୧୯୫୭ ମସିହାରେ ବିବିଧ ଭାରତୀ ସେବା ଆରମ୍ଭ ହୋଇଥିବାବେଳେ ଏହାର ଥିଲା ଲୋକପ୍ରିୟ ଚଳଚ୍ଚିତ୍ର ସଂଗୀତ । ୧୯୨୭ ମସିହାଠାରୁ ରେଡ଼ିଓ ଜନସାଧାରଣଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି । ଆକାଶବାଣୀ ଜନସାଧାରଣଙ୍କୁ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି । ଏହାର ମୂଳମନ୍ତ୍ର ହେଉଛି ବହୁଜନ ହିତାୟ ଓ ବହୁଜନ ସୁଖାୟ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କୌଣସି ପ୍ରକାର ଭୁଲ ତଥ୍ୟ ପ୍ରସାରଣ ନ କରିବାକୁ ଗଣମାଧ୍ୟମଗୁଡିକୁ ପରାମର୍ଶ ଦେଇଛନ୍ତି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଞ୍ଚମ ଓଡିଶା ସାମ୍ବାଦିକତା ପୁରସ୍କାର-୨୦୨୩ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ସମ୍ବାଦ ପରିବେଷଣ ସମୟରେ ତାହାର ସତ୍ୟତା ନେଇ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ଜନସାଧାରଣଙ୍କୁ ତ୍ୱରିତ ତଥ୍ୟ ପ୍ରଦାନ କରିବାରେ ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ମିଥ୍ୟା ତଥ୍ୟ ପ୍ରସାରଣ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ଏଭଳି ତଥ୍ୟ ପ୍ରସାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିଲା ।

ସେହିଭଳି ଏହି ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ସାମ୍ବାଦିକମାନେ ବିତର୍କ କରନ୍ତୁ । ପଲ୍ଲିବାଣୀ ମିଶନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ଓଡ଼ିଶାରେ ସତ କ’ଣ, ତାହା ପ୍ରଶ୍ନବାଚୀ । ଓଡ଼ିଶାରେ ସାମ୍ବାଦିକମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଭିନ୍ନ ମତ ହେଉ ପଛେ, ବିତର୍କ କରନ୍ତୁ । କାରଣ ବିତର୍କ ବନ୍ଦ ହେଲେ ସମାଜରେ ଅବ୍ୟବସ୍ଥା ତିଆରି ହେବ । ଓଡ଼ିଶା ଗଣମାଧ୍ୟମରେ ପୁରସ୍କୃତ ସାମ୍ବାଦିକଙ୍କ ଭୂମକାକୁ ପ୍ରଶଂସା କରିବା ସହ କହିଛନ୍ତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଫକୀରମୋହନ ସେନାପତିଙ୍କ ଭଳି ଅନେକ ମହାପୁରୁଷ ସାମ୍ବାଦିକ ଥିଲେ । ନୂଆଦିଲ୍ଲୀଠାରେ ଓଡ଼ିଆ ସାମ୍ବାଦିକମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି ସେମାନଙ୍କର କାର୍ଯ୍ୟ ତଥା ଅବଦାନକୁ ସମ୍ମାନ ଜଣାଉଥିବାରୁ ପଲ୍ଲିବାଣୀ ମିଶନକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.