fbpx
BSKY
BJD YOUTH SKY
BJD MS SKY

କରୋନାରେ ହୋଇଥିବା ସମସ୍ତ ମୃତ୍ୟୁର କାରଣ ମେଡିକାଲ ଅବହେଳା ନୁହେଁ, କ୍ଷତିପୂରଣ ଆଦେଶ ଦେବାକୁ ମନା କଲେ SC

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଦାଲତ କହିଛନ୍ତି, ଦ୍ୱିତୀୟ ଲହରରେ କରୋନାରେ ହୋଇଥିବା ସବୁ ମୃତ୍ୟୁର କାରଣ ମେଡିକାଲର ଅବହେଳା ଥିବା କୁହାଯାଇ ପାରିବ ନାହିଁ । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଅଦାଲତ ଏହା ମାନି ଚାଲି ପାରିବ ନାହିଁ ଯେ, ବିଶ୍ୱ ମହାମାରୀରର ଦ୍ୱିତୀୟ ଲହର ସମୟରେ କୋଭିଡ-୧୯ରେ ହୋଇଥିବା ସବୁ ମୃତ୍ୟୁ ଅବହେଳା ପାଇଁ ହୋଇଛି । ନ୍ୟାୟାଳୟ ମୃତକଙ୍କ ପରିଜନଙ୍କୁ ମେଡିକାଲ ଅବହେଳା ମାନି କ୍ଷତିପୂରଣ ଦେବା ଅନୁରୋଧ ଆବେଦନକୁ ଖାରଜ କରିବା ସହ ଏହା ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି । ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ହେମା କୋହଲିଙ୍କ ପୀଠ ଆବେଦନକାରୀ ଦୀପକ ରାଜ ସିଂହଙ୍କୁ ନିଜର ପ୍ରସ୍ତାବ ସହ ସକ୍ଷମ ଅଧିକାରୀଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଦ୍ୱିତୀୟ ଲହରରେ ସବୁ ମୃତ୍ୟୁର କାରଣ ଡାକ୍ତରୀ ଅବହେଳା କୁହାଯାଇ ପାରିବ ନାହିଁ । ଅଦାଲତ ଜୁନ ୩୦ରେ ଦେଇଥିବା ନିଜର ଏକ ନିଷ୍ପତ୍ତିକୁ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍-୧୯ରେ ମରିଥିବା ଲୋକଙ୍କ ପରିଜନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଛଅ ସପ୍ତାହ ଭିତରେ ଉଚିତ୍ ଗାଇଡଲାଇନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ । ଏହି ନିଷ୍ପତ୍ତିରେ ଅଦାଲତ ମାନବତା ସମ୍ବନ୍ଧରେ ନିଜର ଦୃଷ୍ଟିକୋଣ ରଖି କ୍ଷତିପୂରଣ ଦେବାକୁ କହିଛନ୍ତି, କୌଣସି ଅବହେଳା ପାଇଁ ନୁହେଁ । ସରକାରଙ୍କୁ ଏବେ ମଧ୍ୟ ଏହା ସମ୍ବନ୍ଧରେ ନୀତି ଆଣିବାକୁ ପଡିବ । ଯଦି ଆପଣଙ୍କ ପାଖରେ ଉକ୍ତ ନୀତି ସଂପର୍କରେ କିଛି ପ୍ରସ୍ତାବ ରହିଛି ତେବେ ଆପଣ ସକ୍ଷମ ଅଧିକାରୀଙ୍କ ସହ ଯୋଗାଯୋଗ କରି ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

 

Get real time updates directly on you device, subscribe now.