ସାମୁହିକ ନରସଂହାର, ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା, ବକ୍ସ ଖଟ ଭିତରୁ ମିଶିଲା 3 ଶିଶୁଙ୍କ ମୃତଦେହ
ମେରଠରେ ଗଣହତ୍ୟା । ଗୋଟିଏ ପରିବାରର 5 ଜଣଙ୍କୁ ମର୍ଡର କରାଯାଇଥିବା ସନ୍ଦେହ ।
ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମେରଠର ଲିସାଡି ଗେଟର ସୁହେଲ ଗାର୍ଡେନ୍ କଲୋନିରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କ ମୃତଦେହ ଘର ଭିତରେ ମିଳିଛି ।
ତେବେ କିଏ ଏବଂ କାହିଁକି ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଖବର ପାଇ ପ୍ରଥମେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ପରିବାରର ସମସ୍ତଙ୍କୁ ଗଳାକାଟି ହତ୍ୟା କରାଯାଇଛି ।
ଗଣହତ୍ୟା- ମୃତକଙ୍କ ମଧ୍ୟରେ ସ୍ୱାମୀ ମୋଇନ୍, ସ୍ତ୍ରୀ ଆସ୍ମା ଏବଂ ତିନି ସନ୍ତାନ ଅଫସା (୮ ବର୍ଷ), ଅଜିଜା (୪ ବର୍ଷ) ଏବଂ ଆଦିବା (୧ ବର୍ଷ) ରହିଛନ୍ତି । ତେବେ 3 ଛୁଆଙ୍କୁ ହତ୍ୟା କରି ବକ୍ସ ବେଡ୍ ଭିତରେ ଲୁଚାଇ ରଖାଯାଇଥିବା ଦେଖାଯାଇଛି ।
ସୂଚନା ଅନୁସାରେ, ମୋଇନ ଜଣେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର ସନ୍ଧ୍ୟାରେ ମୋଇନର ଭାଇ ସଲିମ ଘରେ ପହଞ୍ଚିବା ପରେ ଏହି ଗଣହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଯେତେବେଳେ ଭାଇ ସଲିମ ତାଙ୍କ ସ୍ତ୍ରୀଙ୍କ ସହିତ ପହଞ୍ଚିଲେ, ଘରର ଦ୍ୱାର ଭିତରୁ ବନ୍ଦ ଥିଲା। ପଡ଼ୋଶୀମାନଙ୍କ ସହ କଥା ହେବା ପରେ ଜଣାପଡିଲା ସେ ବୁଧବାର ଠାରୁ ବାହାରକୁ ବାହାରି ନାହାନ୍ତି ।
ଏହାପରେ କବାଟ ଭାଙ୍ଗି ଘରକୁ ପସିବା ପରେ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ତଦନ୍ତ ଜାର ରଖିଛି ।