fbpx

ଆଂଟିଗୁଆରୁ ଫେରାର ହୋଇ କ୍ୟୁବା ଚାଲିଗଲା ପଳାତକ ମେହୁଲ ଚୋକସି ! ବଢିଲା ସିବିଆଇ ଓ ଇଡିର ମୁସ୍କିଲ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟି ଭାରତରୁ ଫେରାର ହୋଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଏବେ ଆଂଟିଗୁଆରୁ ନିଖୋଜ ହୋଇ ଯାଇଛି । ସେଠାକାର ପୋଲିସ ରବିବାର ସନ୍ଧ୍ୟାରୁ ନିଖୋଜ ଚୋକସିର ସନ୍ଧାନରେ ଜୁଟିଛନ୍ତି । ସ୍ଥାନୀୟ ପୋଲିସ ଅନୁଯାୟୀ, ଚୋକସିଙ୍କୁ ଶେଷ ଥର ରବିବାର ସନ୍ଧ୍ୟା ୫ଟା ୧୫ରେ(ସ୍ଥାନୀୟ ସମୟ ଅନୁସାରେ) ଘରୁ ବାହାରି କାରରେ ଯାଉଥିବା ଦେଖିବାକୁ ମିଳିଥିଲା । କାରକୁ ଜବତ କରାଯାଇଛି । ହେଲେ ଚୋକସିଙ୍କ ସନ୍ଧାନ ମିଳୁନାହିଁ ।

ଅନ୍ୟପଟେ ଚୋକସିଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲ ଦ୍ୱୀପର ଦକ୍ଷିଣ ଭାଗକୁ ରାତିରେ ଖାଇବାକୁ ଯାଇଥିଲେ । ଏହା ପରଠୁ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ସେ ଆଂଟିଗୁଆରୁ କ୍ୟୁବା ଫେରାର ମାରିଥିବା ଅନୁମାନ କରାଯାଉଛି ।

ଚୋକସିକୁ ପିଏନବିର ୧୪୦୦୦ କୋଟି ଟଙ୍କାର ଅନିୟମିତତା ମାମଲାରେ ଧରିବା ପାଇଁ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଉଦ୍ୟମ ଜାରି ରଖିଛନ୍ତି । ଚୋକସି ୨୦୧୮ରେ କାରିବିୟାନ ଦ୍ୱୀପ ଦେଶ ଆଂଟିଗୁଆ ଓ ବାରବୁଡା ପଳାୟନ କରିଥିଲା । ସେଠାରେ ଶରଣ ନେଇଥିଲେ ମଧ୍ୟ ନିିୟମିତ ରହୁନଥିଲା ।

ଜନସନ ପଏଂଟ ପୋଲିସ ଷ୍ଟେସନରେ ଜଣେ ଅଧିକାରୀ ଅଭିଯୋଗ କରିବା ପରେ ପୋଲିସ ଭାରତୀୟ ବ୍ୟବସାୟୀଙ୍କ ସନ୍ଧାନ ଆରମ୍ଭ କରିଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ସଫଳତା ମିଳିନାହିଁ । ସ୍ଥାନୀୟ ପୋଲିସ ଚୋକସିର ସ୍କେଚ୍ ଜାରି କରି ଜନତାଙ୍କୁ ଏହି ବ୍ୟକ୍ତିଙ୍କୁ କୌଣସି ଜାଗାରେ ଦେଖିଲେ ଜନସନ ପୋଲିସ ଷ୍ଟେସନରେ ସୂଚିତ କରିବାକୁ କହିଛି । ପୋଲିସ ଚୋକସିର ଠିକଣା ବିଷୟରେ ଜାଣିବା ପାଇଁ ଜନତାଙ୍କ ସହାୟତା ଲୋଡିଛି । ଅନ୍ୟପଟେ ସିବିଆଇ ଓ ଇଡି ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି ।

Get real time updates directly on you device, subscribe now.