fbpx
BJD SKY
BJD SKY

ସିବିଆଇ ନିର୍ଦ୍ଦେଶକ ଉପରେ ହୋଇ ପାରିଲାନି ନିଷ୍ପତି, ସରକାରଙ୍କୁ ନିୟମ ସ୍ମରଣ କରାଇଲେ ପ୍ରଧାନ ବିଚାରପତି

BJD

ନୂଆଦିଲ୍ଲୀ : ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକଙ୍କୁ ନେଇ ସୋମବାର ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା । ହେଲେ ଏହା ଉପରେ କୌଣସି ନିଷ୍ପତି ହୋଇ ପାରି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନା ଗୋଟିଏ ନିୟମ ସରକାରଙ୍କୁ ମନେ ପକାଇ ଦେଇଛନ୍ତ ।

ଏହି ନିୟମରେ ପ୍ରସ୍ତାବିତ ଦୁଇ ନାମ ଦୌଡରୁ ବାହାର ହୋଇ ପାରନ୍ତି । ବୈଠକରେ ପ୍ରଧାନ ବିଚାରପତି କହିଛନ୍ତି, ଏମିତି ଲୋକଙ୍କୁ ସିବିଆଇ ମୁଖ୍ୟ ପଦରେ ନିଯୁକ୍ତ କରିବା ଉଚିତ୍ ନୁହେଁ, ଯାହାଙ୍କ କାର୍ଯ୍ୟକାଳ ୬ ମାସରୁ କମ ରହିଛି। ବୈଠକରେ ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୟସୱାଲ, ସଶସ୍ତ୍ର ସୀମାର ଡିଜି କେଆର ଚନ୍ଦ୍ର ଓ ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିକେଏସ କୌମୁଦୀଙ୍କ ନାଁ ଉପରେ କମିଟିରେ ଆଲୋଚନା ହୋଇଛି । ହେଲେ ଗତକାଲିର ବୈଠକରେ କୌଣସି ସହମତି ପ୍ରକାଶ ପାଇ ନାହିଁ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାପରତିଙ୍କ ବ୍ୟତୀତ ଗୃହର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ସାମିଲ ଥିଲେ । ସୂ୍‌ତ୍ର ଅନୁଯାୟୀ ପ୍ରଧାନ ବିଚାରପତି କହିଛନ୍ତି, କମିଟିକୁ ନିୟମ ଆଧାରରେ ହିଁ କୌଣସି ନାମ ଉପରେ ବିଚାର କରିବା ଉଚିତ୍ । ପ୍ରଧାନ ବିଚାରପତିଙ୍କ ଏହି ରାୟକୁ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ମଧ୍ୟ ସମର୍ଥନ କରିଛନ୍ତି । ବୈଠକରେ ବିଏସଏଫ ମୁଖ୍ୟ ରାକେଶ ଆସ୍ଥାନାଙ୍କ ନାମକୁ ମଧ୍ୟ ନିୟମ ଆଧାରରେ ଖାରଜ କରାଯାଇଛି। କାରଣ ଆସ୍ଥାନା ଅଗଷ୍ଟ ୩୧ରେ ଅବସର ନେବାକୁ ଯାଉଛନ୍ତି ।

ଏହି ପରି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ମୁଖ୍ୟ ୱାଇସି ମୋଦୀ ମଧ୍ୟ ମେ ୩୧ରେ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି । ଆସ୍ଥାନା ଓ ମୋଦୀଙ୍କ ନାମ ସିବିଆଇ ମୁଖ୍ୟ ପଦ ଦୌଡରେ ସବୁଠୁ ଆଗରେ ଥିଲା । ଏମିତିରେ ସିଆଇଏସଏଫର ମୁଖ୍ୟ ସୁବୋଧ କୁମାର ଜୟସୱାଲଙ୍କ ନାମରେ ସହମତି ପ୍ରକାଶ ପାଇପାରେ । ଜୟସୱାଲ ବରିଷ୍ଠତାରେ ମଧ୍ୟ ଆଗରେ ଅଛନ୍ତି । ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ ୪ ମାସ ପରେ ହେଉଛି । ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସରକାର ଚୟନରେ ନିୟମର ସଠିକ ପାଳନ କରୁ ନାହାନ୍ତି ।

Get real time updates directly on you device, subscribe now.