fbpx

ବିବାହ, ବ୍ରତଘର ଭୋଜିରେ ମିଳିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ: ଓଡ଼ିଶା କ୍ୟାଟେରିଂ ଆସୋସିଏସନର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାଣ୍ଡିଆ ଚାଷର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖରେ ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହିତକର ଏହି ପୁଷ୍ଟିକର ଶସ୍ୟକୁ ସ୍କୁଲ ମେନ୍ୟୁରେ ବ୍ୟବହାର କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା । ରାଜ୍ୟରେ ‘ମିଲେଟ୍ ମିଶନ’ ଆରମ୍ଭ କରାଯିବା ସହ ବିଶ୍ୱର କୋଣ ଅନୁକୋଣରେ ମାଣ୍ଡିଆକୁ ପହଞ୍ଚାଇବା ଲକ୍ଷ୍ୟ ନେଇ ମାଣ୍ଡିଆ ଗୀତ ମଧ୍ୟ ପ୍ରସ୍ତୁତ ହୋଇଥିଲା । ନିକଟରେ ସମାପ୍ତ ହୋଇଥିବା ପୁରୁଷ ହକି ବିଶ୍ୱକପ ସମୟରେ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା ।

ତେବେ ଏହା ମଧ୍ୟରେ ମାଣ୍ଡିଆକୁ ନେଇ ଆସିଛି ପୁଣି ଏକ ଖୁସି ଖବର । ଏଣିକି ବିବାହ, ବ୍ରତଘର ଓ ସରକାରୀ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମାଣ୍ଡିଆ ଖାଦ୍ୟ ପରସା ଯିବ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମାଣ୍ଡିଆ ଆଜି ଦେଶ, ବିଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏଥିରେ ପ୍ରୋଟିନ, ଭିଟାମିନ୍ ବି ଓ ଆଇରନ୍ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ତେବେ ବିଭିନ୍ନ କାର୍ଯ୍ୟକ୍ରମର ଭୋଜିରେ ଏଣିକି ମାଣ୍ଡିଆକୁ ସାମିଲ କରାଯିବ ବୋଲି ଓଡ଼ିଶା କ୍ୟାଟେରିଂ ଆସୋସିଏସନ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ଖାଦ୍ୟକୁ ନେଇ ଖୁବଶୀଘ୍ର ବିଭିନ୍ନ ରାଜ୍ୟରେ ଫୁଡ୍ ଫେଷ୍ଟିଭାଲ ଆୟୋଜନ କରାଯିବ । ମେନ୍ୟୁ କାର୍ଡରେ ମାଣ୍ଡିଆକୁ ଯୋଡ଼ିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ଆସୋସିଏସନ ତରଫରୁ ଆଲୋଚନା କରାଯିବ । ଆଗାମୀ ଦିନରେ ମାଣ୍ଡିଆ ଇଡଲି, ମିଲେଟ କ୍ଷୀର, କୁକିଜ୍, ଲଡ଼ୁ, ଦୋଷା, ଉପମା ଆଦି ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚିବ । ଓଡ଼ିଶା ବିଭିନ୍ନ ପ୍ରକାରର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ହବ୍ ପାଲଟିଥିବା ବେଳେ ଖାଦ୍ୟକୁ ନେଇ ମଧ୍ୟ ବଡ଼ ଧରଣର ମହୋତ୍ସବର ଆୟୋଜନ କରାଯିବା ଆବଶ୍ୟକ ବୋଲି ଆସୋସିଏସନ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.