‘ନକ୍ସଲ ମୁକ୍ତ ହେବ ଭାରତ’, ଓଡ଼ିଶାର ଏହି ମାଓବାଦୀଙ୍କ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି

ଏନକାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଜୟୀରାମ ଚିହ୍ନଟ, ସ୍ପଷ୍ଟ କଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଆଜି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରେ ନିପାତ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଜୟୀରାମ ଚିହ୍ନଟ ହୋଇଥିବା ଜଣାପଡିଛି। ଏନେଇ ସ୍ପଷ୍ଟ କରିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା।

ସେ କହିଛନ୍ତି ଯେ, “ମୃତ ଜୟୀରାମ ଓଡ଼ିଶା ସେଣ୍ଟ୍ରାଲ କ୍ୟାଡର କମିଟି ସଦସ୍ୟ। ନକ୍ସଲ ଅପରେସନ ଇତିହାସରେ ସିସି ସଦସ୍ୟ ନିପାତ ପ୍ରଥମ ଘଟଣା। ଜୟୀରାମ ଧରାଇବାକୁ ୧ କୋଟିରୁ ଉର୍ଦ୍ଧ୍ୱ ପୁରସ୍କାର ନିଶ୍ଚିତ ଥାଇପାରେ।

ତେଣୁ ପୋଲିସକୁ ବଡ଼ ସଫଳତା ମିଳିଛି ବୋଲି କୁହାଯାଇପାରିବ। ୨୦୨୬ ମାର୍ଚ୍ଚ ସୁଦ୍ଧା ସାରା ଦେଶ ନକ୍ସଲ ଶୂନ୍ୟ ହେବା ଆମର ଲକ୍ଷ୍ୟ।”

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନକ୍ସଲବାଦ ବିରୋଧରେ ସୁରକ୍ଷା ବାହିନୀର ବଡ଼ ସଫଳତା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ନକ୍ସଲବାଦ ଉପରେ ଆଉ ଏକ ଶକ୍ତ ପ୍ରହାର। ଆମର ସୁରକ୍ଷା ବାହିନୀ ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ବଡ଼ ସଫଳତା ହାସଲ କରିଛି।

ଗୃହମନ୍ତ୍ରୀ ଅମିତ ଶାହା ଆହୁରି ଲେଖିଛନ୍ତି ଯେ, ଓଡିଶା-ଛତିଶଗଡ ସୀମାରେ ମିଳିତ ଅପରେସନ୍ ବେଳେ CRPF, SoG ଓଡିଶା ଏବଂ ଛତିଶଗଡ ପୋଲିସ ୧୪ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ନକ୍ସଲ ମୁକ୍ତ ଭାରତ ପାଇଁ ଆମର ସଂକଳ୍ପ ଏବଂ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ସହିତ ନକ୍ସଲବାଦ ଆଜି ଶେଷ ହେଉଛି।