fbpx

ଦୁଃଖଦ! ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ ମାଗି ଟଙ୍କା ଯୋଗାଡ଼ କରୁଛନ୍ତି ଭାଇଭଉଣୀ

ବାଲେଶ୍ୱର: ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ ମାଗି ଟଙ୍କା ଯୋଗାଡ଼ କରୁଛନ୍ତି ଭାଇଭଉଣୀ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ପାହାଣା ଗ୍ରାମରେ ।

ସୂଚନା ଅନୁସାରେ,ପାହାଣା ଗ୍ରାମର ବାସିନ୍ଦା ରବୀନ୍ଦ୍ର ମୁଖୀଙ୍କର କିଛି ଦିନ ତଳେ ଏକ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ରବୀନ୍ଦ୍ର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ପରେ ଏବେ ପରିବାର ସମ୍ପୂର୍ଣ୍ଣ ଭାବରେ ବେସାହାରା । ତେଣୁ ଶୁଦ୍ଧଘର କରିବା ପାଇଁ ତାଙ୍କର ଦୁଇ ପିଲା ଏବେ ଦୁଆର ଦୁଆର ବୁଲି ଟଙ୍କା ଯୋଗାଡ଼ କରିବାରେ ଲାଗିଛନ୍ତି ।

“ଅଜଣା ରୋଗରେ ଆମ ବାପାଙ୍କର ମୃତ୍ୟୁ ହୋଇଗଲା । ଏବେ ତାଙ୍କର ଶୁଦ୍ଧ ଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ଆମକୁ ଘର ଘର ବୁଲି ଭିକ ମାଗିବାକୁ ପଡ଼ୁଛି । ଏହା ଛଡ଼ା ଆମ ପାଖରେ ଆଉ ଅନ୍ୟ ଉପାୟ ନାହିଁ ।”ବୋଲି କହିଛନ୍ତି ରବୀନ୍ଦ୍ରଙ୍କ ଝିଅ ପ୍ରଭାତୀ ମୁଖୀ । ଏହା ସହ ସେମାନେ ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ଆଗକୁ ଆହୁରି ପାଠ ପଢ଼ିବେ ବୋଲି ମଧ୍ୟ କହିଛନ୍ତି ।

ରବୀନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି- “ମୋ’ ସ୍ୱାମୀଙ୍କ ମୃତ୍ୟୁ ହେବାପରେ ମୁଁ ଏବେ ସମ୍ପୂର୍ଣର୍ ବେସାହାରା । ମୋ’ ଦୁଇ ପିଲାଙ୍କୁ ନେଇ ମୁଁ କୁଆଡ଼େ ଯିବି? ଏବେ ସେମାନଙ୍କୁ ତାଙ୍କ ବାପାଙ୍କ ଶୁଦ୍ଧ ଘର ପାଇଁ ଭିକ ମାଗିବାକୁ ପଡ଼ୁଛି ।”

ଏପରିକି ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ରବୀନ୍ଦ୍ରଙ୍କ ପରିବାର ରହୁଥିବା ଘର ଅନେକ ଦିନ ହେବ ଭଙ୍ଗା ଦଦରା ଅବସ୍ଥାରେ ଥିଲା । ସେମାନେ ସେଠାରେ ପଲିଥିନ ପକାଇ ରହୁଥିଲେ । ଏବେ ରବୀନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସେଠାକାର ବାସିନ୍ଦା ସରକାରଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.