ସ୍ୱାମୀ ପେଟରେ ୩୬ ଥର ଭଙ୍ଗା ମଦ ବୋତଲ ଭୁସିଲା ନାବାଳିକା ସ୍ତ୍ରୀ, ଭିଡ଼ିଓ କଲ କରି ପ୍ରେମିକକୁ ଶବ ଦେଖାଇଲା

ପ୍ରଥମେ ସ୍ୱାମୀ ପେଟରେ ଭଙ୍ଗା ମଦ ବୋତଲ ଭୁସିଲା। ହତ୍ୟା କରି ପ୍ରେମିକକୁ ଭିଡ଼ିଓ କଲ୍ କରି ସ୍ୱାମୀର ଶବ ଦେଖାଇଲା। ଆଉ ପରେ ପ୍ରେମିକ ସହ ଫେରାର ହୋଇଗଲା ନାବାଳିକା ସ୍ତ୍ରୀ।

ମଧ୍ୟପ୍ରଦେଶ: ୧୭ ବର୍ଷର ନାବାଳିକା ଝିଅ। ମାତ୍ର ୪ ମାସ ତଳେ ୨୫ ବର୍ଷୀୟ ଗୋଲ୍ଡେନ ପାଣ୍ଡେ ଓରଫ୍ ରାହୁଲଙ୍କ ସହ ଝିଅର ବାହାଘର କରିଥିଲେ ପରିବାର ଲୋକେ। ହେଲେ ଝିଅ ଉବୁଟୁବୁ ଥିଲା ଯୁବରାଜ ପ୍ରେମରେ। ତେଣୁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେବାକୁ ରଚିଥିଲା ଷଡ଼ଯନ୍ତ୍ର।

ପ୍ରେମିକ ଯୁବରାଜର ଦଇ ସାଙ୍ଗ ସହ ମିଶି ସ୍ୱାମୀକୁ ଭଙ୍ଗା ମଦ ବୋତଲରେ ୩୬ ଥର ଆକ୍ରମଣ କଲା। ପେଟକୁ ଭୁସି ଭୁସି ମାରିଦେଲା ପତିହନ୍ତା। ଏତିକିରେ ମନ ଭରିଲାନି ଯେ, ମାରିସାରିବା ପରେ ପ୍ରେମିକକୁ ଭିଡ଼ିଓ କଲ୍ କରି ଦେଖାଇଲା। ଆଉ ଶେଷରେ ନିଜ ପ୍ରେମିକ ସହ ଫେରାର ହୋଇଗଲା।

ନାବାଳିକା ପତିହନ୍ତା: ତେବେ ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମଧ୍ୟପ୍ରଦେଶ ବୁର୍‌ହାନପୁରରେ। ଉକ୍ତ ସହରର ୨୫ ବର୍ଷୀୟ ଯୁବକ ଗୋଲ୍ଡେନ ପାଣ୍ଡେ ଓରଫ୍ ରାହୁଲଙ୍କ ସହ ଜଣେ ୧୭ ବର୍ଷୀୟ ନାବାଳିକା ଝିଅର ୪ ମାସ ତଳେ ବିବାହ ହୋଇଥିଲା।

କିଛି ଦିନ ବେଶ ଭଲରେ ଚାଲିଥିଲା ପରିବାର। ହେଲେ ନାବାଳିକା ସ୍ତ୍ରୀ ଉବୁଟୁବୁ ଥିଲା ପ୍ରେମିକ ପ୍ରେମରେ। ତେଣୁ ସ୍ୱାମୀକୁ ସବୁଦିନ ପାଇଁ ହଟାଇ ଦେବାକୁ ରଚିଥିଲା ଷଡ଼ଯନ୍ତ୍ର। ଆଉ ଷଡ଼ଯନ୍ତ୍ର ସଫଳ ବି କଲା। ପ୍ରେମିକର ଦୁଇ ସାଙ୍ଗଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କରିଦେଲା ନାବାଳିକା ସ୍ତ୍ରୀ।

୩୬ ଥର ଭୁସି ହତ୍ୟା: ପ୍ରେମିକ ସହ ମିଶି ସବୁ ପ୍ଲାନ ତିଆରି କରିଥିଲା ନାବାଳିକା ସ୍ତ୍ରୀ। ସେଦିନ ଥିଲା ୧୩ ତାରିଖ। ସ୍ୱାମୀ ସହିତ ମିଶି ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲା ସ୍ତ୍ରୀ। ଖାଇ ପିଇ ସପିଂ ସାରି ବାଇକରେ ଘରକୁ ଫେରୁଥିବାବେଳେ ବାଟରେ ସ୍ତ୍ରୀ ଚପଲ ଖସିପଡିବା ଆଳ କରି ବାଇକ ଅଟାଇବାକୁ କହିଥିଲେ।ଷ

ସ୍ୱାମୀ ଯେମିତି ବାଇକ୍ ଅଟକାଇଛନ୍ତି ପ୍ରେମିକ ଯୁବରାଜର ଦୁଇ ସାଙ୍ଗ ତାଙ୍କୁ ଘେରି ଯାଇଥିଲେ। ୩ ଜଣ ମିଶି ରାହୁଲଙ୍କୁ ବାଇକରୁ ଘୋଷାଡି ଆଣିବା ସହିତ ଏକ ଭଙ୍ଗା ବିଅର ବୋତଲ ଭୁସି ଦେଇଥିଲେ।

ଥରେ କି ଦୁଇ ଥର ନୁହେଁ ରାହୁଲ ପେଟରେ ପାଖାପାଖି ୩୬ ଥର ଭଙ୍ଗା ମଦ ବୋତଲକୁ ଭୁସି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରାହୁଲର ମୃତ୍ୟୁ ହୋଇଥିଲା। ଆଉ ରାହୁଲର ମୃତ୍ୟୁ ହେବା କ୍ଷଣି ପ୍ରେମିକ ଯୁବରାଜକୁ ଭିଡ଼ିଓ କଲ କରି ସ୍ୱାମୀର ଶବ ଦେଖାଇଥିଲା ସ୍ତ୍ରୀ। ଆଉ ପ୍ରେମିକ ସହ ଫେରାର ହୋଇଯାଇଥିଲା।

ସାମ୍ନାକୁ ଆସିଲା ସତ: ଆଉ ରବିବାର ଦିନ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଆଉ ନିଛାଟିଆ କ୍ଷେତ ଭିତରୁ ରାହୁଲର ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରିଥିଲେ। ପରେ ଖୋଳତାଡ଼ ପରେ ପୋଲିସ ଜାଣିବାକୁ ପାଇଥିଲା କି ରାହୁଲ ଶେଷ ଥର ପାଇଁ ତାଙ୍କ ସ୍ତ୍ରୀଙ୍କ ସହ ଥିଲେ।

ପରେ ପୋଲିସ ନାବାଳିକା ସ୍ତ୍ରୀକୁ ଗିରଫ କରିବା ପରେ ସବୁ ସତ ମାନିଥିଲା। ଏହାପରେ ପୋଲିସ ଅଭିଯୁକ୍ତ ସ୍ତ୍ରୀ ସହିତ ତାଙ୍କ ବୟଫ୍ରେଣ୍ଡ ଓ ଦୁଇ ସାଙ୍ଗ, ଯାହାଙ୍କ ଭିତରୁ ଜଣେ ନାବାଳକ, ସମସ୍ତଙ୍କୁ ଗିରଫ କରିଛି।